ନିଷିଦ୍ଧ ଫଳ
ନିଷିଦ୍ଧ ଫଳ
କିଆଁ ଏତେ ବ୍ଯଗ୍ର ଭକ୍ଷଣ କରିବାକୁ ନିଷିଦ୍ଧ ଫଳ
କିଏ ଅବା କି ସୁଖ ପାଇଛି ଭୁଞ୍ଜି ସେହି ବିଚିତ୍ରଫଳ ।
ଚଉରାଶୀ ଆଙ୍ଗୁଳ ଶରୀରକୁ ନେଇ କେତେ ଖେଳ
ଦେହ ସୁଖ ଟିକେ ପାଇଁ କେତେ ପାପାଚାର ଗଣ୍ଡଗୋଳ ?
ମସୃଣ ଚିକ୍କଣ ଚମଡ଼ାର ଆବରଣ ହଟାଇ ଦେଖ ଚର୍ମତଳ
କେତେ ପୂଜ ରକ୍ତ ସ୍ବେଦ ମେଦ ରୋଗର ସେଠି ମେଳ ।
ଛାର ଦେହଟା ପାଇଁ କର କିମ୍ପା ଏତେ କଳି ତକରାଳ
ଦେହ ଯେ' ନର୍କର ଦ୍ବାର ଦିଶୁଅଛି ସତ୍ଯ ଜଳ ଜଳ।
ଢଳିଗଲେ ବୟସ ଝାଉଁଳିବ ଦେହର ସୌନ୍ଦର୍ଯ୍ୟ ବର୍ଣ୍ଣାଳୀ
କାହିଁ ଅଳିକ ଅନିତ୍ୟ ସମ୍ଭୋଗ ଲାଗି ହୁଅରେ ବାଉଳି ।
ତୁଚ୍ଛା ଦୈହିକ ମିଳନ ଲାଗି କର ବ୍ୟୟ ବେଳ ଆଉ ବଳ
ଆକାତରେ ଲୁଟାଅ ଜୀବନ ଯାକର ସମସ୍ତ ସଞ୍ଚିତ ସମ୍ବଳ।
ଦେହର କୁହୁକ ମୋହରେ ଉନ୍ମାଦରେ ହୋଇଯାଇ ଅନ୍ଧ
ଅନଳେ ଝାସ ଦିଅଇ ବିଜ୍ଞ ବିବେକୀ ମାନବ ସାଜି ପତଙ୍ଗ।