କାବ୍ୟ ନାୟିକା
କାବ୍ୟ ନାୟିକା
ତୁମେ ଅନାମିକା ମୋ କାଵ୍ୟ ନାୟିକା
ରୂପସୀ ଗୋ ରୂପବତୀ
ତୁମ ସ୍ପର୍ଶ ପାଇ ଶବ୍ଦ ମହକଇ
ଲାଜେ ସେ ମଉନାଵତୀ ।
ତୁମ ହସ ଲକ୍ଷେ ଫଗୁଣ ଫୁଆରା
ଚାହାଁଣୀରେ ପ୍ରୀତିଵନ୍ୟା
ଭାବନା ରାଇଜେ ତୁମେ ରାଜଜେମା
ଅବର୍ଣ୍ଣନୀୟ ଅନନ୍ୟା ।
ତୁମେ ଯେବେ ଋଷ ଶବ୍ଦକୋଷ ଶେଷ
ନିଃଶବ୍ଦେ ଗୁମୁରି କାନ୍ଦେ
କବିତା ଆଇନା ମୁହଁ ମୁଁ ଦେଖେନା
ଵିଷାଦେ ମନକୁ ବାନ୍ଧେ ।
ତୁମେ ସୁରଭିତ ଗଜରାର ହାର
କବିତା ଫୁଲର ରଙ୍ଗ
ଭାବନା ଭ୍ରମର ଚୁମିଲେ ତୁମକୁ
ଶିହରଇ କାଵ୍ୟ ଅଙ୍ଗ ।
ତୁମ ନୂପୁର ନିକ୍ଵଣ ହେଲେ ରୁଣୁଝୁଣୁ
ପ୍ରୀତିର ମହ୍ଲାର ଗାଏ
କଜ୍ଜଳ ଗାରେଓ ଅଳତାର ଧାରେ
ଶବ୍ଦ ରୋମାଞ୍ଚିତ ହୁଏ ।
ତୁମେ ମୋ ପ୍ରେୟସୀ ପ୍ରେମ ମଦାଳସୀ
ଥିରି ଥିରି ପାଦ ଥାପ
କିମିଆ କରିଲେ ମୋ ମନ ମୟୁରୀ
ସପ୍ତରଙ୍ଗୀ ପ୍ରୀତିଛାପ ।
କରିଵନି କେବେ ମାନ ଅଭିମାନ
ଯିଵନାହିଁ ପରକରି
ସତ କହୁଛି ମୁଁ ଜିଅଁନ୍ତା ଜଳିଵି
ଅହୋରାତ୍ର ଝୁରି ଝୁରି ।
ସଵୁ ସୁଖ ତୁମ ପୟରେ ଅର୍ପିଵି
ପ୍ରିୟା ମୋ ଚପଳଛନ୍ଦା
ଶୃଙ୍ଗାରେ ସଜେଇ କରିଵି କଣ୍ଢେଇ
କାବ୍ୟ ହେଵ ପଦ୍ମଗନ୍ଧା ।
ଵହିଲେ ମଳୟ କାବ୍ୟ ଯେ ତନ୍ମୟ
ଦିଗ୍ ବଳୟେ ବ୍ୟାପିଯିଵ
ପ୍ରତିଟି ହୃଦୟେ ମୃଦୁ ଆଲୋଡନ
କୁଞ୍ଜେ ରାସ ରଚିଯିଵ ।
କାଵ୍ୟ ଉପବନ ସହାସ୍ୟ ବଦନ
ଶବ୍ଦ ସବୁଜିମାମୟ
ମୋ ମନ ମାନସୀ ବସନ୍ତ ଵୟସୀ
ତୋ ପାଇଁ ମୁଁ କାଵ୍ୟମୟ ।