ମୁକ୍ତ ବିହଙ୍ଗ
ମୁକ୍ତ ବିହଙ୍ଗ
ଅନନ୍ତ ଗଗନେ ଉଡି ବୁଲିବୁ ତୁ
ମୁକ୍ତ କରିଦେଲି ତୋତେ,
ତୋ ନିଜ ଆତ୍ମୀୟ ଦେଖିବୁ ନୟନେ
ଖୁସି ହେବୁ ମନେ କେତେ ।
କ୍ଷୁଦ୍ର ବିହଙ୍ଗ ତୁ ଧରିଛୁ ଦେହରେ
ଉଡି ବୁଲିବାର ଶକ୍ତି,
ମନ ଆନନ୍ଦରେ ଉଡ଼ୁ ଆକାଶରେ
ଧରି ନିତି କେତେ ସାଥି ।
ରାତି ହୋଇଗଲେ ଶୋଇଯାଉ ଲୁଚି
କେଉଁ ଗଛଡାଳ ନିଡ଼େ,
ସୂରୁଜ ଉଇଁଲେ ନୀଳ ଆକାଶରେ
ଉଡ଼ୁ ତୁ ମହାଆନନ୍ଦେ ।
ଥିଲୁ ମୋ ପାଖରେ ବନ୍ଦୀ ଜୀବନରେ
ଦେଉଥିଲୁ ମୋତେ ଖୁସି,
କେତେ ଯତନ ମୁଁ ନେଉଥିଲି ତୋର
ଆଦରରେ ଦିବା ନିଶି ।
ତଥାପି ମନରେ ଦୁଃଖ ଥିଲା ତୋର
ବୁଝୁଥିଲି ତୋତେ ଦେଖି,
ତେଣୁ ତୋତେ ଆଜି ମୁକ୍ତ କରିଦେଲି
ହେବୁ ତୁହି ହସମୁଖୀ ।
ଉଡି ଉଡି ଯେବେ କ୍ଲାନ୍ତ ହୋଇଯିବୁ
ଆସି ବସିବୁ ମୋ ଚାଳେ,
ତୋତେ ମୁଁ ଦେଖିବି ନୟନ ଭରି ମୁଁ
ଆଶା ଭରେ ମନତଳେ ।
ଅଳପ ଦିନର ତୋ ସାଥେ ମମତା
ଟାଣିଛି ଗଭୀର ରେଖା,
ଭୁଲିଯିବୁ ନାହିଁ ମୋତେ ତୁ ଜୀବନେ
ଏଇ ଅନୁରୋଧ ସଖା ।
