ମୁକ୍ତ ଆକାଶର ପକ୍ଷୀ
ମୁକ୍ତ ଆକାଶର ପକ୍ଷୀ
ସଜ ଗୋଲାପର ଗୁଚ୍ଛିକାଟି ଧରି
ହସି କହେ ଶୀତରାଣୀ
ତୋଳିନିଅ ହସ୍ତେ ହେ ପ୍ରିୟ ଜୀବନ
ପ୍ରୀତି ଉପହାର ମଣି ।
କଣ୍ଟା ଅଛି ବୋଲି ନ ହୁଅ ଚିନ୍ତିତ
ଯତନେ କଲେ ଧାରଣ
ଆହ୍ଲାଦିତ ହେବ ହୃଦୟ ତୁମର
ଆନନ୍ଦ ହୋଇବ ମନ ।
ଥିଲେ ଥାଉ ଯେତେ ଅଭାବ କଷଣ
ଦୁଃଖ କଷ୍ଟ ବାଧା ବିଘ୍ନ
ବିକଶିତ ପୁଷ୍ପ ଗୋଲାପ ସଦୃଶ
ତୁମର ଜୀବନ ପ୍ରାଣ ।
ସହିଲେ ପାଷାଣ ନିହାଣ ଆଘାତ
ଗଢିହୁଏ କଳାକୃତି
କଣ୍ଟା ତୀକ୍ଷ୍ଣ ବିନା ଗୋଲାପ ସୌନ୍ଦର୍ଯ୍ଯ
ସମ୍ଭବ ହେବ କେମିତି ?
ନ ସହିଲେ କଷ୍ଟ ନ ହେଲେ ବିଫଳ
ମିଳେ ନାହିଁ ସଫଳତା
ଖୋଲି ଜ୍ଞାନ ଚକ୍ଷୁ ଦେଖିପାରେ ଯିଏ
ଲଭେ ପୂର୍ଣ୍ଣ ସାର୍ଥକତା ।
କ୍ଷୁଦ୍ର ପକ୍ଷୀଟିଏ ଯାଏ ନାହିଁ ଡରି
ଜାଡ ସହେ ଅନାୟାସେ
ଉଷୁମ ତା ପର ସଜାଡି ଯତନେ
ବିିହଙ୍ଗ ଉଡେ ଆକାଶେ ।
ଝରୁ କଣ୍ଠେ ତୁମ ସଙ୍ଗୀତ ମୂର୍ଚ୍ଛନା
ହୁଅ ଦୃଢ ଆଶାବାଦୀ
ହସୁ ଆତ୍ମପୁଷ୍ପ ଜୀବନରେ ଆଶା
ସ୍ବଚ୍ଛନ୍ଦୁ ଜୀବନ ପକ୍ଷୀ ।