ବିଜୁଳୀ କାଟ
ବିଜୁଳୀ କାଟ
ନୀଳ ନୟନା ବିଜୁଳୀ କନ୍ଯା
ଅଟେ ଚପଳ ମତି
ଜୀବନ ତାର ବିନା ଅଚଳ
ଶକତି ସିଏ ଗତି ।
ଛୁଇଁଲେ ତାର କଳ ବୋତାମ
ସଚଳ ସିଏ ହୁଏ
ଚାହିଁବା କାମ ତୁରନ୍ତ କରେ
ମାନେ କଥାଟି ସିଏ ।
ବୁଲାଇ ପଙ୍ଖା ଦିଏ ଆରାମ
ଅନ୍ଧାରେ ବତୀ ଜାଳେ
ମସଲା ବାଟେ ପରିବା କାଟେ
ଥଣ୍ଡା ଗରମ କରେ ।
ଅଟକି ଯାଏ ଜୀବନ ଯାତ୍ରା
ବିଜୁଳୀ ହେଲେ ଠପ
ଖରା ଦିନରେ ବିଜୁଳୀ କାଟ
ଲାଗେ ଚାବୁକ ଛାଟ ।
ଘୂରେନା ଚକ ଅର୍ଥ ବ୍ଯବସ୍ଥା
ବନ୍ଦ ହୁଅଇ କାମ
ଦୂରଦର୍ଶନ ଯୋଗାଯୋଗର
ନ ହୁଏ ପ୍ରସାରଣ ।
ହେଉ ଯୋଗାଣ ନିରବଚ୍ଛିନ୍ନ
ବିଜୁଳୀ ହେଉ ଶସ୍ତା
ଅତ୍ଯାବଶ୍ଯକ ସେବା ସୁଲଭୁ
ପ୍ରତ୍ୟେକ ଉପଭୋକ୍ତା ।
