ମୁଖା
ମୁଖା


ଏଠି ସବୁବେଳେ ଭିଡ଼
ସକାଳେ ,ସଞ୍ଜରେ , ଦିନ ଦ୍ବିପହରରେ।
ରାସ୍ତାରେ ହୋଟେଲରେ ପାର୍କରେ
ଏମାନେ ସମସ୍ତେ ଏକଜୁଟ ହୁଅନ୍ତି
ନିଜ ନିଜ କାର୍ଯ୍ୟରେ ନିଜ ସମୟରେ।
ଚାଲୁ ଚାଲୁ ଅନେକ ଲୋକଙ୍କ ସହିତ
ଦେଖା ହୁଏ , ଧକ୍କା ହୁଏ ।
ଏମାନେ ଆସନ୍ତି ଭିନ୍ନଭିନ୍ନ ରୂପରେ,
ଭିନ୍ନ ଭିନ୍ନ ବେଶରେ।
ଏଠି ସମସ୍ତେ ଲୁଚି ରହିଥାନ୍ତି ,
ଦାମି ପୋଷାକ , ଆଭିଜାତ୍ୟତଳେ,
ତୁଳସୀ ମାଳା ଗୈରୀକ ପରିଧାନ ଓ
ଚିତା ଚୈତନ୍ୟ ତଳେ।
ଏମାନଙ୍କ ଦାମି ପାଉଡର ଓ ପରଫ୍ୟୁମ ବୋଳା
ସଫେଦ ଚେହେରା ତଳେ ଲୁଚି ରହିଥାନ୍ତି ,
ଲକ୍ଷ ଲକ୍ଷ ରାବଣ ସକୁନି ମନ୍ଥରା ଏବଂ
ସୀତାଙ୍କୁ ବାଟ ଭୁଲେଇଥିବା ମାୟାମୃଗ।
ଏମାନେ ସମସ୍ତେ ମୁଖା ପିନ୍ଧାଭଦ୍ରଲୋକ ,
ସରଳତାର ମୁଖା ତଳେ ଏମାନେ ଲୁଚେଇ ରଖନ୍ତି
ନିଜର କୁସି୍ତ କଦାକାର ରୂପ ଓ
କଳାକାରନାମାର ମାୟାନଗରୀକୁ ।
କାହିଁକି ନା ଏମାନେ ସମାଜର ଜଣାଶୁଣା ଭଦ୍ରଲୋକ ।