ଜରିଗୋଟାଳି
ଜରିଗୋଟାଳି
ତୁମ ମୋ ଭିତରେ ଅନେକ ତଫାତ୍
ତୁମେ ମୋଜାଇକ୍ ଲଗା କୋଠୋରେ
ଆରାମ କର ,ଆଉ କାହା ଜୀବନ ସହିତ ଖେଳ,
ଅନେକ ଖେଳ ।
ତୁମ ମନ କଳା ପରଦା ତଳେ ଆବୃତ।
ତୁମେ ଗାଡି ଚଢି ରାସ୍ତାରେ ଯାଅ।
ଫୁର୍ତି କର ,ମଜଲିସ କର
ମୋ ଉପରେ ଫିଙ୍ଗି ଦିଅ ଅଧାଜଳା ସିଗାରେଟ ଖୋଳ।
କାହା ଜୀବନକୁ ବେଖାତିର କର ।
ତୁମ ଆଖି ଆଗରେ ଆମେସବୁ ନିଷ୍ପେସିତ
ନା ଆମ ଠିକଣା ଅଛି, ନା ଘର ।
ଆମେ ସବୁ ଯାଯାବର ।
ଜରି ଗୋଟାଇ ଜୀବନ କାଟୁ।
ତୁମେ ଫୁର୍ତ୍ତି କରି ଫିଙ୍ଗିଥିବା ଆବର୍ଜନାର ମାଲିକ ମୁଁ , ହାତରେ ମୋ ଛିଣ୍ଡା ଜରି ବସ୍ତା ।
ତୁମେ ଯାହା ଅପନ୍ତରା ଭାବି ଫ
ିଙ୍ଗିଦିଅ
ତାହା ମୋ ଏକାନ୍ତ ନିଜସ୍ବ ,
ମୋ ବଞ୍ଚିବାର ଏକମାତ୍ର ପାଥେୟ।
ମୁଁ ଜରି ଗୋଟାଏ ବୋଲି ତୁମ ନଜରେ ମୁଁ ଘୃଣ୍ୟ।
ଅସନା ଆଉ ଅସ୍ପୃଶ୍ୟ।
ମୁଁ ଲାଜ ଢାଙ୍କୁଥିବା କୋତରା ଛିଣ୍ଡା ଜାମା,
ଚପଲ ନଥିବା ପାଦଦେଖି ତୁମେ ,
ନାକ ଟେକ ,ଆଖିନଚାଅ।
ତୁମେ ବୁଝନି ,ମୋ ଦେହରେ
ଲାଗି ଥିବା ଦୁର୍ଗନ୍ଧ ଓ ମଇଳା
ତୁମର ହିଁ ଅବଦାନ ।
ତୁମ ମୋ ଭିତର ଅନେକ ତଫାତ୍
ତୁମେ ଦାମି ଚକ୍ ଚକ୍ ପୋଷାକ ପିନ୍ଧି ଅସନା କର ,
ଆଉ ମୁଁ ଛିଣ୍ଡା କୋତରା କନା ପିନ୍ଧି ,
ତୁମ ଆବର୍ଜନା ସଫା କରେ
କାରଣ ମୁଁ ଜରିଗୋଟାଳି ।