ମତ୍ସ୍ୟ ଅବତାର
ମତ୍ସ୍ୟ ଅବତାର
ଭଗବାନ ବିଷ୍ଣୁଙ୍କର ଦଶ ଅବତାର,
ଆଦ୍ୟ ଅବତାର ଅଟେ ମତ୍ସ୍ୟ ଅବତାର ।।୧।।
କିପରି ଏ ଅବତାର ସୃଷ୍ଟିର ପ୍ରକାର,
ସଜ୍ଜନଙ୍କ ମତାମତେ ଜାଣିବା ଦରକାର ।।୨।।
ଶୁଣ ଦିନେ ସମୁଦ୍ରରେ ଏହା ଥିଲା କଥା,
ବାରିଧି,ପାୟୋଧି ମଧ୍ୟେ ବିଷ୍ଣୁଙ୍କର ବାର୍ତ୍ତା ।।୩।।
ସେହି ସିନ୍ଧୁ ମଧ୍ୟେ ଜନ୍ମ ନେଲା ଶଙ୍ଖାସୁର,
ବଢ଼ିଲା ଔଦ୍ଧତ୍ୟ ତାର ବଢ଼ିଲା ପ୍ରହାର ।।୪।।
ସମୁଦ୍ରୁ ବାହାରି ଜୟ କଲା ସ୍ୱର୍ଗପୁର,
ଦେବତାଙ୍କୁ ଭୀତତ୍ରସ୍ତେ କଲା ନାରଖାର ।।୫।।
ଇନ୍ଦ୍ରଙ୍କ ଆସନ ବଳେ ଛଡେଇଣ ନେଲେ,
ବ୍ରହ୍ମଦେବ ତାଙ୍କ ଭୟେ ପଳାୟନ କଲେ ।।୬।।
ମୁନିଋଷିଙ୍କର ଯଜ୍ଞେ ବିଘ୍ନ ଯେ ଘଟିଲା,
ବ୍ରହ୍ମାଙ୍କର ଉପସ୍ଥିତି ସବୁଠି ନୋହିଲା ।।୭।।
ଯାହାଫଳେ ଚତୁର୍ପାର୍ଶ୍ୱେ ଅଶୁଭ ଜନ୍ମିଲା,
ଅକାଳେ ବରଷା ସହ ଦୁର୍ଭିକ୍ଷ ପଡ଼ିଲା ।।୮।।
ମରୁଡ଼ି ସାଙ୍ଗକୁ ଧନଜନ କ୍ଷୟ ହେଲା,
ଧର୍ମ ଛାଡ଼ି ଅଧର୍ମର ମୂଳମନ୍ତ୍ର ହେଲା ।।୯।।
ଭଗବାନ ବିଷ୍ଣୁ ଥିଲେ ଅନନ୍ତ ଶୟନେ,
ସବୁ ଆସି ଜଣାଇଲେ ପ୍ରଭୁଙ୍କର କାନେ ।।୧୦।।
ଅନନ୍ତ ବ୍ରହ୍ମାଣ୍ଡ ଅଛି ତୁମର ଶରୀରେ,
କୃପାକର ରକ୍ଷା କର ଏଭଳି କାଳରେ ।।୧୧।।
ଅନୁରୋଧ ରଖି ବିଷ୍ଣୁ ତଥାସ୍ତୁ ଯେ କଲେ,
ଧନିଷ୍ଠା ୠଷି ନାମେ ଦିନେ ଦେଖା ହେଲେ ।।୧୨।।
ଦୈନିକ ସୂର୍ଯ୍ୟଙ୍କୁ ଦିଅନ୍ତି ଜଳଦାନ,
ଏକଦିନେ ଆଞ୍ଜୁଳାରେ ଦେଖିଲେ ଯେ ମୀନ ।।୧୩।।
ଜଳ ଭରି ମାଛକୁ କମଣ୍ଡଳୁରେ ରଖିଲେ,
ମାଛର ଆକାର ଯୋଗୁଁ କଷ୍ୟପଙ୍କୁ ଦେଲେ ।।୧୪।।
ୠଷି କଶ୍ୟପ ମୀନକୁ ଛାଡିଲେ ସରୋବରେ,
ସରୋବରେ ବଢ଼ିଲା ମାଛ ବଡ଼ ଆକୃତିରେ ।।୧୫।।
ତତ୍ପରେ ଛାଡିଲେ ତାକୁ ସମୁଦ୍ର ମଧ୍ୟରେ,
ରୋହି ମାଛର ବିରାଟ ରୂପ ଧରିଲା ସିନ୍ଧୁରେ ।।୧୬।।
ଡେଣା ହେଲା ମାଛର ପାହାଡ଼ ଦୋହଲିଲା,
କୁସୁମ ବରଷା ସହ ଶଙ୍ଖଧ୍ଵନୀ ହେଲା ।।୧୭।।
ନିସ୍ତରିଲେ ଦେବଗଣ ଦେଖି ଏହି ରୂପ,
ନିଧନ ହୋଇବ ଏବେ ହେବ ପାପମୁକ୍ତ ।।୧୮।।
ସମୁଦ୍ର ମଧ୍ୟକୁ ପ୍ରଭୁ ପ୍ରବେଶ ହୋଇଲେ,
ଶଙ୍ଖାସୁର ମୁଖେ ପଞ୍ଚଜନ୍ୟ ଭର୍ତ୍ତି କଲେ ।।୧୯।।
ତତ୍ପରେ ଶଙ୍ଖାସୁରର ବିନାଶ ଘଟିଲା,
ଚୋରି କରିଥିବା ବେଦ ଉଦ୍ଧାର ହୋଇଲା ।।୨୦।।
ମତ୍ସ୍ୟ ଅବତାର ଗାଥା ଏମନ୍ତ ପ୍ରକାର,
କର ଯୋଡ଼ି କର ଗାନ ଦଶ ଅବତାର ।।୨୧।।
