ମଥା ନଇଁଥାଉ
ମଥା ନଇଁଥାଉ


ଅହଙ୍କାରୀ ଗର୍ବୀ ତୁଚ୍ଛା ଫୁଟାଣିଆଁ ମଥା ଟେକି ବଡ଼କହେ,
ପଣ୍ଡିତ ସୁଜ୍ଞାନୀ ବିଖ୍ୟାତ ବିଜ୍ଞାନୀ ନିଜମଥା ନଇଁ ଦିଏ |
ସବୁଠାରୁ ବଡ଼ ସାଗର ଲହଡ଼ି ପାଦଛୁଇଁ ଦେଇଯାଏ,
ଫଳଭରା ବୃକ୍ଷ ଫୁଲଭରା ଲତା ନଇଁ ପଡ଼ି ରହିଥାଏ |
ଗର୍ଭଣୀ ଗାଈଟି ଧୀରେ ଧୀରେ ଚାଲେ ମଥାକୁ ତଳକୁ କରି,
ଅଜ୍ଞାନ ବାଛୁରି ଡିଆଁ ମାରୁଥାଏ ଭଲ-ମନ୍ଦ ନ ବିଚାରି |
କାଉଁରିଆ କାଠି ସବୁଠାରୁ ହୀନ ମଥାକୁ ନୂଆଏଁ ନାହିଁ,
ମୂଲ୍ୟବାନ ବେତ ସବୁଠାରୁ ଟାଣ ଭାଙ୍ଗିବନି ଯାଏ ନଇଁ |
ଧଳାମେଘ ଧାଏଁ ଆକାଶ ବୁକୁରେ ଦେଖାଇ ଛଟକ ଛଇ,
ଜଳଭରା କଳା ମେଘ ନଇଁପଡ଼େ ମାଟିର ପାଦକୁ ଛୁଇଁ |
ବନ୍ୟା ବାତ୍ୟାବେଳେ ମଥାକୁ ନୂଆଇଁ ଯେଉଁ ବୃକ୍ଷ ରହିଥାଏ,
ଭାଙ୍ଗିଯାଏ ନାହିଁ ଭାସିଯାଏ ନାହିଁ ପୁଣି ଠିଆ ହେଇଯାଏ |
ମୂର୍ଖ ନଇଁବନି ଯୁକ୍ତି କରୁଥିବ ଜିତିଗଲି ଭାବୁଥିବ,
ଚତୁର ମଣିଷ ମଥାକୁ ନୂଆଇଁ ନିଜକାମ କରିନେବ |