ମଶାଣି କାନ୍ଦୁଛି
ମଶାଣି କାନ୍ଦୁଛି


ମୃତ୍ୟୁ ଆଚରଣେ ମଶାଣି କାନ୍ଦଇ
କାଳ ପାଦେ ପଡି ବିନମ୍ରେ କହଇ ।। ।୧।
ବେଳେବେଳେ ଉପହାରେ ସିନା ଆନନ୍ଦ ମିଳଇ
ପ୍ରତିକ୍ଷଣ ଉପହାର ମନେ ଯାତନା ଦିଅଇ ।। । ୨।
ମୋ କୋଳେ ଗଡୁଛି ଏବେ ଗାଡି ଗାଡି ଶବ
ଶବ ଜାଣିବାକୁ ଆଉ ନମିଳଇ ଠାବ ।। । ୩।
ମୋ ନାମେ ହୋଇଲେ ଜଣା ଗ୍ରାମ କି ସହର
ତୁମ ଅପଯଶ ସଂସାରେ ହୋଇବ ପ୍ରଚାର ।। ।୪।
ଗଗନେ ପବନେ ଶୁଭେ ହାହାକାର ରାବ
ଧର୍ମ ତେଜିଲ କି ତୁମେ ଆପଣା ସ୍ବଭାବ ।। । ୫।
ଯେତେବେଳେ ଯାହା ତୁମେ ଦେଉଥିଲ ଆଣି
ସବଳ, ଦୁର୍ବଳ, ବୃଦ୍ଧା, ବାଳା କି ତରୁଣୀ ।। । ୬।
ସମସ୍ତ ଙ୍କୁ ସମାଦରେ କରଇ ସତ୍କାର
ମୋ ବକ୍ଷେ ଜଳି ପ୍ରାଣୀ ହୁଅଇ ଉଦ୍ଧାର ।।
। ୭।
ଆଉ ଉପହାର ଲୋଡା ନାହିଁ ମୋର
ଗୁହାରୀ ମୋ ଘେନାକର ଧର୍ମ ଅବତାର ।। । ୮।
କରୁଣ ଅଧରେ ସ୍ମିତ ହାସ୍ଯ ନେଇ
ମଥାନତ କରି କାଳ ଯେ କହଇ ।। । ୯।
ଶୁଣ ଲୋ ମଶାଣି ସତ୍ଯ ମୋ ବଚନ
ମୋ କଥାର ସାକ୍ଷୀ ସତ୍ଯ ସନାତନ ।। । ୧୦।
ମୁଁ ଯେବେ ଯାଏ ଏକେ ଆଣିବାକୁ
ସହସ୍ରେ ପଶନ୍ତି ଭୟେ ମୋ ମୁଖକୁ ।। । ୧୧।
ପ୍ରତିରୋଧ, ପ୍ରତିକାର ନ ଆଚରି ଜନେ
ମହାମାରୀ ଶିକାର ହୁଅନ୍ତି ଅକାରଣେ ।। । ୧୨।
ସେ ମହାନାୟକ ଯାହା ଦିଅନ୍ତି ଆଦେଶ
ତାହା ମୁଁ କରଇ ମିଳୁ ନିନ୍ଦା କିବା ଯଶ ।। । ୧୩।