ମୃତ୍ୟୁ
ମୃତ୍ୟୁ
ଜାଣିଛି
ତମେ ନିଶ୍ଚେ ଆସିବ
ସବୁ ଶୋଇଗଲା ପରେ
ଧୁ ଧୁ ଖରାବେଳେ
ଅବା ଅସ୍ତମିତ ସୂର୍ଯ୍ୟର
ନିଷ୍ପ୍ରଭ ଆଲୋକ ସନ୍ଧ୍ୟାରେ
କିମ୍ବା ମଙ୍ଗଳ ମୁହୂର୍ତ୍ତ
ଦୀପ୍ତିମନ୍ତ ଭାନୁର ରକ୍ତିମ ପ୍ରଭାତେ ll
ତଥାପି ଅବୁଝା ମନ
ଢେଉ ଖେଳେ ସତମିଛ ଅଗଭୀର
ସାଗର ଜୁଆରେ
କେବେ ପୁଣି ଚାପି ହୋଇଯାଏ
ରାଗ, ହିଂସା , ଦ୍ବେଷ
ଅବା ପ୍ରେମ ପ୍ରୀତି ଅଭିମାନ ତାତିରେ ll
ଅସଂଯତ ଇନ୍ଦ୍ରସୁଖର ପିଶାଚ
ସବାର ହୁଏ ମୋ ତନୁ ମନରେ
ଅଦିନିଆ ଲାଉଡଙ୍କ ପରି
ମାଡ଼ି ଚାଲେ ଫଳଶୂନ୍ୟ
ଜୀବନର ଅସଜଡା
ସଂସାର ପୀଢାରେ ll
ସବୁ ପରେ ବି
ତମେ ସତ୍ୟ ଚିରନ୍ତନ
ଆସ ମୋ ଜୀବନେ
ନ କହି କାହାକୁ
ଭିଡି ନିଅ ମୋତେ
ପାପପୁଣ୍ୟ ପଙ୍କିଳ ନରକୁ
ଜାବୁଡି ଧର ତମ ସେ
ଶୂନ୍ଯ ପାରିଜାତ ପୁଷ୍ପିତ ଉଦ୍ୟାନେ ll
ପାର୍ଥିବ ସୁଖର ଉର୍ଦ୍ଧ୍ବରେ
ଚିତ୍ କରି ଶୁଆଇ ଦିଅ
ସଫେଦ ଫୁଲର ବିଛଣାରେ ...
ତା ପରେ ମୁଁ ହଜିଯାଏ,ଭିଜିଯାଏ
ମାଟିର ପହିଲି ଅସରାଏ ବର୍ଷା ପରି,
ମିଳେଇ ଯାଏ
ନିଶେଷ ହୋଇଯାଏ ସବୁ ମୋର
ତୁମରି ଅଗଣାରେ ,
ଆଖି ଖୋଲିବାର
ସାହାସ ପାଏନି
ଦେଖିବାକୁ ଚେଷ୍ଟା କଲେ ବି
ତମକୁ ମୁଁ ଦେଖିପାରେନି ll
