ଆହେ ମହାବାହୁ
ଆହେ ମହାବାହୁ
କେମିତି ସହୁଛ ହେ କଳାଠାକୁର
ବୁଜିଛକି ଚକା ଆଖି
ଆଖି ବୁଝିଲେଣି ସହସ୍ରହ ନର
ବାଳୁତ ଯେ ନିରିମାଖି l
ନିଜ ମାୟା ରଚି ଯଦୁବଂଶ ନାଶି
ଧର୍ମେ ଉଦ୍ଧାରିଲ ମହୀ
ମହୀମଣ୍ଡଳରେ ହାହାକାର ଶୁଭେ
ଶୁଣ ଆହେ ଭାବଗ୍ରାହୀ l
ଦିନୁ ଦିନ ଭୟ ଗ୍ରାସ କରିଲାଣି
ଗ୍ରାସୁଛି ବିସ୍ତାରି କାୟା
କାୟା ସାଥେ ଛାୟା ଲୁଚି ଥିଲା ପରି
ପରିବ୍ୟାପ୍ତ କରେ ମାୟା l
ରକତ ମାଂସର ଦେହଟା କଳୁଷ
ହୋଇ ଯାଇଅଛି ସତେ
ସତ୍ଯ ଧର୍ମ ନ୍ୟାୟ ଫେରିକି ଆସିବ
ବିଶ୍ବାସ ଲାଗେ ପରତେ l
ସନ୍ତାନକୁ ମାଆ କୋଳେଇ ନେବାଟା
ଲାଗଇ ଅଛୁଆଁ ପରି
ପରତେ ବିଶ୍ବାସ ଯାଉନି ମନରେ
କି ମାୟା ରଚୁଛ ହରି l
ଦୂରେ ଦେଖି ବାପା ପୁଅଠାରି ଦିଏ
ପାଖକୁ ନ ଆସେ ଡରି
ଆଜି ଏ ସଙ୍କଟେ ଆତଙ୍କିତ ବିଶ୍ବ
ଜିଇଁବା ଯାଉଛି ମରି l
ଗଜ ଉଦ୍ଧାରିଲ ହରିଣୀ ରକ୍ଷିଲ
ଦ୍ରୌପଦୀକୁ ବସ୍ତ୍ର ଦାନ
ପୁତନା ବିନାଶି ଗୋବର୍ଦ୍ଧନ ଟେକି
ରଖିଲ ଗୋପୀଙ୍କ ପ୍ରାଣ l
କାଳୀୟଦଳନ କଂସ ସଂହାରଣ
ଦୁଷ୍ଟ ଦାନବକୁ ମାରି
ଜଗତ ଉଦ୍ଧାର କରିଛ ମୂରାରୀ
ଗୋପୀନାଥ ବଂଶୀଧାରୀ l
ହିରଣ୍ୟକଷ୍ୟପ ବକ୍ଷ ବିଦାରିଲ
ଗଦାଧର ମାୟାଧରୀ
ଆତୁରେ ଡାକୁଛି ଏ ବିଶ୍ବ ମାନବ
ରକ୍ଷାକର ଚକ୍ରଧାରୀ l
ତମେ ନ ରଖିଲେ ଏ ମହା ସଙ୍କଟୁ
କିଏ ବା ରଖିବ ଆଉ
କରଯୋଡି ପ୍ରଭୁ ଗୁହାରି କରୁଛି
ରକ୍ଷାକର ମହାବାହୁ l
