ମୃତ୍ୟୁ
ମୃତ୍ୟୁ
ମୃତ୍ୟୁ !!! ସୃଷ୍ଟି ର ଅଟଳ ସତ୍ୟ
ତାକୁ ଲଂଘିବା କୁ ନାହିଁ କା ସାମର୍ଥ୍ୟ
ଦିନ ପରେ ଦିନ ବଢେ ଆକର୍ଷଣ ତା'ର
କମଳ ର ସରୋବରେ ଯେସନ ଭ୍ରମର !
ଛାଇ ଠାରୁ ସେ ଅତି ନିବିଡ଼
ସେ ତ ଯମଫାଶ ଅଟେ ବହୁ ଦୃଢ଼
କୋମଳ ଶୀତଳ ଅଟେ ସ୍ପର୍ଶ ତା'ର
ନାହିଁ ତାର କେହି ପର ଆଉ ଆପଣାର !
କେ' କରନ୍ତି ତା'ର ନିନ୍ଦା
କେ' ଅବା ପ୍ରଶଂସା
କେବେ ଆସିଥାଏ ଅକସ୍ମାତ୍
କେବେ କରାଏ ସେ ଅସୀମ ପ୍ରତୀକ୍ଷା !
ନାହିଁ ଉଚ୍ଚନୀଚ ଭାବ ପାତର ଅନ୍ତର
କରିପାରେ ପରାଜିତ ନ କରି ସମର
ଦେଖେ ନାହିଁ ପ୍ରତିଷ୍ଠା ଅବା ପ୍ରତିପତ୍ତି
କାହାକୁ ଦିଏ ସମ୍ମାନ କାହାକୁ ବିପତ୍ତି !
କିଏ କହେ ଅମାବାସ୍ୟା ର କାଳରାତ୍ରି
କାହା ପାଇଁ ମୁକ୍ତି ର ପବିତ୍ର ପାହାନ୍ତି
ମୃତ୍ୟୁ !!! ଚିରନ୍ତନ ସତ୍ୟ ଏ ସୃଷ୍ଟି ର
ପ୍ରାଣୀ ର ଜନ୍ମ ଆଗରୁ ଜନମ ହୋଇଥାଏ ତା'ର ।
କରିପାରିନାହିଁ କେହି ତାକୁ ପ୍ରତାରିତ
କିଏ ବା ଜାଣିଛି ଏ କାଳ ର ରହସ୍ୟ ??
ବାରମ୍ବାର ମୃତ୍ୟୁ ଲଭିଥାଏ କାପୁରୁଷ
ବୀର ପାଇଁ ମୃତ୍ୟୁ ସିନା ଆଣିଥାଏ ଯଶ !
ଭୟ କରୁ କାହିଁ କହ ହେବାକୁ ତାର ସମ୍ମୁଖୀନ
ନବନିର୍ମାଣ ର ହେତୁ ଯୋଗୁଁ ତା'ର ଆଗମନ
ବିଶ୍ବର ବିସ୍ମୟ ସେ ସତ୍ୟ ଚିରନ୍ତନ
ସେହି ଏକା କରିପାରେ ସବୁ ବନ୍ଧନ କୁ ଛିନ୍ନ!
ନିର୍ଭୟ ଚିତ୍ତ ରେ କର ତାକୁ ଆଲିଙ୍ଗନ
ତେବେ ସିନା ଦେବ ସିଏ ବୀର ର ସମ୍ମାନ
ଅଜର ଅମର ଆତ୍ମା ଶରୀର ନଶ୍ଵର
ଏ ବାକ୍ୟ କୁ ମନେ ସ୍ମରି ମୃତ୍ୟୁ କୁ ନ ଡର !
