ମର୍ତ୍ତ୍ଯର ଈଶ୍ବର
ମର୍ତ୍ତ୍ଯର ଈଶ୍ବର
ଏ ଏମିତି ଜଣେ ଈଶ୍ବର
ଯିଏ ବିଦ୍ୟମାନ ପ୍ରତି ପରିବାରରେ
ଯାହାଙ୍କ ପରିଶ୍ରମରେ କ୍ଲାନ୍ତ କି ବିଶ୍ରାମ ନଥାଏ
ଯିଏ କି କାନ୍ଦିଲେ ଆଖି ଓଦା ନହୋଇ
ଛାତି, ମନ ଓ ହୃଦୟ ସରସର କୋହରେ ଓଦା ହୁଏ ।
ଏ ଏମିତି ଏକ ଦେବତା
ଯେ ଦିଶନ୍ତି ଅଗ୍ନିପରି କିନ୍ତୁ ମନରେ ଶୀତଳ ଜଳ
ଯିଏ ଚାଲିଲେ ମାଟି କ'ଣ କଙ୍କଡ଼ ପଥର ବି ନମ୍ର ହୁଏ
ପାଦରେ କଣ୍ଟା ପଶିଲେ ଝରେ ରକତ ଟୋପା
ହେଲେ ଏ ପାଦ ଥକେନି ରାସ୍ତାର କଣ୍ଟା ପଛେ ଥକିଯାଏ ।
ଏ ଏମିତି ଜଣେ ପ୍ରଭୁ
ମେଘନାଦ ପ୍ରାଚୀର ହୋଇ ସାଜଇ ରକ୍ଷକ
ଯିଏ ଅନ୍ଧକାରେ ନିଜେ ଜଳି ଆଲୋକ ଦିଏ
ବିନା ପ୍ରଶିକ୍ଷଣେ ଅଭିନୟରେ ଚମତ୍କାର କରେ ପ୍ରଦର୍ଶନ
ଭୋକିଲା ଉଦରେ, ଲୁହସାଗରେ ବୁଡ଼ି ଅସରନ୍ତି ହସାଏ ।
ଏ ଏପରି ଭଗବାନ
ଯେ ମର୍ତ୍ତ୍ଯରେ କର୍ତ୍ତବ୍ଯ, କର୍ମ, ଧର୍ମ ପାଳନ୍ତି
ସଂଘର୍ଷ ନାବେ ନାଉରୀ ସାଜି ଜୀବନ ନଦୀ ପାର କରାଏ
ଶରୀରକୁ କରି ଗାଡ଼ି, ଘୋଡ଼ା, ଉଡ଼ାଯାହାଜ
ବାପା ସେ, ପୁଅଝିଅଙ୍କୁ କାନ୍ଧପାଲିଙ୍କି ରେ ବସାଇ ବୁଲାଏ।
