ମରିନି ମହିଷାସୁର
ମରିନି ମହିଷାସୁର
ଆଶ୍ଵିନ ମାସରେ ଅତି ସରାଗରେ ଆସିଥିଲୁ ଅବତରି
ନଈ ପଠା ଧାରେ କାଶତଣ୍ଡୀ ଫୁଲ ହସୁଥିଲା କିରିକିରି ।
ନବ ଦିନ ଧରି ନାନା ଉପଚାରେ ପୂଜିଲେ ଅତି ଭକ୍ତିରେ
ଘଣ୍ଟଘଣ୍ଟା, ଭେରୀ, ମୃଦଙ୍ଗ, ବାଇଦ କମ୍ପିଗଲା ତିନି ପୁରେ ।
ବିଦାୟର ବେଳା ନିକଟ ହୋଇଲା ବାହୁଡ଼ିବୁ ନିଜ ସ୍ଥାନେ
ଦେଖିନୁ କି ମାଆ ଅସୁର ଉତ୍ପାତ ସରିନାହିଁ ଏ ଭୁବନେ ?
ନଅ ଦିନ ଖାଲି ନାରୀର ସମ୍ମାନ ଅବଶିଷ୍ଟ ପରିତ୍ୟକ୍ତା
ନବ ଉନ୍ମାଦନା ନ ଦେଖେ ଅବନୀ ହୁଏ କନ୍ୟା ଭ୍ରୁଣହତ୍ୟା ।
କର୍ମ କ୍ଷେତ୍ରେ ଅବା ଗ୍ରାହସ୍ଥ୍ୟ ଜୀବନେ ସହେ ନିତି ଉତ୍ପୀଡ଼ନ
ହୋଇନି କି ମାଆ ଦୃଷ୍ଟିଗୋଚର ଅଥବା ସାଜିଲୁ ପାଷାଣ !
ଖୋଲି ଦେଏ ତୁହି ତୃତୀୟ ନୟନ ଶାନ୍ତି ସ୍ଥାପନ ନିମିତ୍ତ
ଖଡ୍ଗ ଖପ୍ପର ତୋଳି ନେଏ ମାତା ଦୁରାଚାରୀ କରି ନିହତ ।
ଦୁର୍ଗତି ନାଶିଣ ଦୁର୍ଗତିନାଶିନୀ ଦେଇ ଯାଅ ଉପହାର
ଅନ୍ତର ନୟନେ କର ଦୃଷ୍ଟିପାତ ମରିନି ମହିଷାସୁର...।।
