ମରୀଚିକା
ମରୀଚିକା
ତୁମେ ଦୂର ଦିଗବଳୟେ ଅସ୍ପଷ୍ଟ
ଧୂସରିତ ଜଳରାଶି
ମୁଁ ଧରା ପରେ ତୃଷାର୍ତ୍ତ ପଥିକ ।
ତୁମେ ଆକାଶର ଭସାମେଘ ଧାରେ
ଧୃତ ମାୟାବୀ ବିଜୁଳି
ମୁଁ ଅପେକ୍ଷା ରତ ଅଧିର ଚାତକ ।
ତୁମେ ରୂପ-ସମ୍ଭାରର ସଲିଳ କୁନ୍ତଳ
ସରଗର ରମ୍ୟ ପରୀ
ମୁଁ ରକ୍ତ ମାଂସ ଧାରି ସମ୍ଭୋଗି ସଂସାରୀ ।
ତୁମ ପଥ ଧରି ମୟାକୁ ଆବୋରି
ରିକ୍ତତା ଲଭଇ ନିତି-
ନିତି ହୁଏ ସରି-ନାହିଁ ନିବୃତ୍ତି ।
ଚତୁର୍ଦିଗେ ମୋର ଆଖି ସୀମାନ୍ତରେ
ଯେଣେ ଦେଖେ ଦିଶିଯାଏ
ତୁମରି ଆଖିର ଇସାରା ଧାର ।
ହେ ରୂପବତୀ ନବୀନ ଲଳନା
କରନାହିଁ ଆଉ ଛଳନା
ତୁମ ପ୍ରେମେ ପାଗଳ ମୁଁ ପ୍ରଜାପତି ।
ଥରେ ଆସି ପାଶେ ଧରା ଦିଅ ମୋତେ
କୋଳେଇ ନିଅ ତୁମେ
ମାୟାକୁ ରଚାଇ ଦିଅନାହିଁ ଶାସ୍ତି ।
ତୁମରି ପ୍ରେମରେ ମତୁଆଲା ମୁହିଁ
ଆବୋରି ନିଅ କୋଳେ
ତୁମ ଦେହେ ମିଶି ପାଇବି ମୁଁ ମୁକ୍ତି ।
