ମରୀଚିକା
ମରୀଚିକା
ମରୁ ମରୀଚିକା ଦିଶୁଥାଏ ପାଶେ
ଗଲେ ଘୁଞ୍ଚି ଯାଏ ଦୂରେ
ସେପରି ଆମର ଆଶା ଅସୁମାରୀ
ମନେ ଭ୍ରମ ସୃଷ୍ଟି କରେ l
ଗୋଟେ ଆଶା ଯେବେ ପୂର୍ଣ୍ଣ ହୋଇଯାଏ
ନୂଆ ଆଶା ପୁଣି ଜାଗେ
ନୂଆ ନୂଆ ଆଶା କେତେ ଉଙ୍କି ମାରେ
ମନର ସେ କେଉଁ ଭାଗେ l
ବ୍ୟର୍ଥ ଆଶା ମନେ ପୋଷଣ କରିଲେ
କେବେ ହୁଏ ନାହିଁ ପୂର୍ଣ୍ଣ
ମରୀଚିକା ପରି ଦେଖାଏ ସପନ
ଫଳ ହୋଇଥାଏ ଶୂନ୍ୟ l
ଭ୍ରମିତ ମନଟା ଧାଇଁ ବୁଲୁଥାଏ
ମାୟା ମିରିଗର ପଛେ
ଏଇଠି ଥାଇ ସେ ଏଇଠି ନଥାଏ
କାହିଁ ଦୂରକୁ ସେ ଘୁଞ୍ଚେ l
ଅଯଥାରେ ମନେ ବ୍ୟର୍ଥ ଆଶା ସବୁ
ପୋଷଣ କରନା କେବେ
ଯେତିକି ପାରିବା ସେତିକି ରେ ଆମେ
ଶାନ୍ତିରେ ରହିବା ଭବେ l
ଆକାଶ କଇଁଆ ଚିଲିକାର ମାଛ
ସଂଯୋଗ କି କେବେ ହୁଏ
ସେହି ପରି ମନେ ଅଯଥା ସପନ
ସପନରେ ରହି ଯାଏ l
ଯଶ ସନମାନ ଲୋଭ ମୋହ ଆଦି
ପଛରେ ଗୋଡ଼ାଅ ନାହିଁ
ବୃଥା ଆଶା କରି ଅତୃପ୍ତ ଜୀବନେ
ଶାନ୍ତି କୁ ହଜାଅ ନାହିଁ l
ଅତ୍ୟଧିକ ଆଶା ମାନବ ଜୀବନେ
ବୃଥା ସପନ ଦେଖାଏ
କାମନା ବିନାଶ ଦୁଃଖର ବିନାଶ
ବୁଦ୍ଧ ବାଣୀ ଏହା କହେ l
ଯେତିକି ମିଳିଛି ସେତିକି ପାଇକି
ଶାନ୍ତିରେ ରହିବା ଶିଖ
ପ୍ରଭୁଙ୍କ ପାଖରେ କୃତଜ୍ଞ ରହିବା
ଜୀବନର ହେଉ ଲକ୍ଷ୍ୟ l
