ମୋର ମନେ ପଡେ"
ମୋର ମନେ ପଡେ"
ମନେ ପଡେ ମୋର ଅତୀତ ଘଟଣା
ଯାହା ଅଙ୍ଗେ ଲିଭାଇଛି
କାହିଁକି କେଜାଣି ଅଡ଼ୁଆ ଅଡ଼ୁଆ
ମୋର ମନେ ଜାଗୁଅଛି ।
ଦୁଃଖର ପାହାଡ଼ ଚଢି ଚଢି ମୁହିଁ
ସେବେଳେ ହାଲିଆ ହେଲି
ସଂସାର ଜଞ୍ଜାଳ ଏତେ ଭାରି ବୋଲି
ଏବେ ମନରେ ଧରିଲି ।
ଥିଲି ଛୋଟ ମୁହିଁ ଦାଇତ୍ୱ ବି ନାହିଁ
ମଜାରେ ଖାଇବି ବୁଲିବି
ପଢା ବେଳେ ବାପା ମାଡକୁ ଡରିଣ
ବହି ଖାତା ନେଇ ବସିବି ।
ଭାଇ ଭଉଣୀଏ ଲୁଡୁ ଖେଳ ମଜା
ଏବେ ମୋର ମନେ ପଡୁଛି
ହାରିଗଲେ ମୁହିଁ ରୋଷରେ ଶୋଇବି
ଖାଇବିନି ଖାଲି କାନ୍ଦିଛି ।
ମୋର ବଡ଼ ଭାଇ ମୋତେ ସେ ଭୁଲାଇ
ଗେଲ କରି ମୋତେ ଖୁଆଏ
ଭାଇ ପାଖରେ ମୁଁ ଏବେ ଋଣି ଅଛି
ସିଏ ମୋର ଗୁରୁ ପରାଏ ।
ଘର ବୋଝ ପଡି ବାପା ହଡବଡି
ଖଟି ଖଟି ଯାଉଥିଲା ଦିନ
ଅଭାବ ସଂସାର ସାତ ଜଣ ଲୋକ
ପେଟ ଭରିବାକୁ ହଇରାଣ ।
ଧାର କରଜେ ବୁଡି ରହୁଥିଲେ
ଆମ ସୁଖ ଦେଖିବାର ପାଇଁ
ଆମର କି ଚିନ୍ତା ଥିଲା ସେତେବେଳେ
ବାପା ଖଟୁଛନ୍ତି କାହା ପାଇଁ ?
ନିଜ ଆଖି ଲୁହ ଆଖିରେ ଭରିଣ
ଆମ ଆଗେ ହସ ହସ ମୁହଁ
ସଂସାରର ବୋଝ ଏଡେ ଦାରୁଣ ଯେ
କଷ୍ଟ ଓ ଚିନ୍ତାର ସମାରୋହ।
ମାଆ ମୋର ଥିଲେ ଲକ୍ଷ୍ମୀ ପ୍ରତିମାଟେ
ଆଦର ସ୍ନେହର ପ୍ରତିମୂର୍ତ୍ତି
ଉପାସରେ ରହି ଦାନା ଦେଇଅଛି
ସବୁ ସହିଯାଏ ଖୁସି ଖୁସି ।
ଆଜି ପଛ କଥା ପଡ଼ିଲେ ମନରେ
କୋହ ଜାଗୁଅଛି ଅନ୍ତରରେ
ଅତୀତର ଆଉ ଆଜିର ଦୁନିଆ
ଆକାଶ ପାତାଳ ତଫାତରେ।
