ମୋନାଲିସାର ହସ
ମୋନାଲିସାର ହସ
ଜୀବନକୁ ବିଭୋରପଣେ ଜିଇଁବାକୁ ମନଭରି
ସବୁଦିନେ ମୋନାଲିସା ହସେ ହୃଦୟ ଖୋଲି
କିନ୍ତୁ ତା' ଛାତି ତଳେ ଯେ ପାଉଁଶ ତଳର ନିଆଁ
ଲାଗେନା କେହି କେବେ ଦିନେ ବୁଝିଛି ବୋଲି ,
ସମସ୍ତେ ତା' ଓଠରେ ହସ ଦେଖିଛନ୍ତି
କାହିଁକି ନା ତା' ମନେ ଅମାପ ସେନେହ,
ଅଥଚ ଦୁନିଆ ଦେଇଛି ସେ ଅନୁଢା କୁଆଁରୀକୁ
ନିରନ୍ତର ଛାତିରେ କୋହ ଆଉ ଆଖିରେ ଲୁହ,
ସେ ଭଲ ଭାବେ ଜାଣେ
ଆକାଶକୁ ଛୁଇଁବା ତା' ସାମର୍ଥ୍ୟ ବାହାରେ
ହେଲେ ସେ ବିଭୋର ଭିଜା ମାଟିର ବାସ୍ନାରେ ,
ଖବରର ରଙ୍ଗ ଖେଳରେ
ଛାତିର ସ୍ପନ୍ଦନ ସତେକି ତା ଲାଗି ଅବାଞ୍ଛିତ
ଦୁନିଆ ଯାକର ଆଖି ତ ତା' ହସ ପାଖରେ ,
ମୋନାଲିସା ହସେ ଆଜିବି ମନଖୋଲା ହସ
ହଁ ଏଇ ଅଭିଶପ୍ତ ସମାଜ ଉପରେ
ଦୟା ପରବଶ ହୋଇ ଆହତ ନିଶ୍ବାସରେ ,
ଚାଲି ଚାଲି ତ ଆସିଲଣି ଏତେ ଦୂର ବାଟ
ଏବେ କାହିଁକି ହସିବା ଛାଡି ଦେବ ଯେ,
ଏ ନପୁଂସକ କାକୁସ୍ଥ ମୃତ ସମାଜର ଭୟରେ ।