ମୋକ୍ଷ ଏଠି ଅଭିଶପ୍ତ
ମୋକ୍ଷ ଏଠି ଅଭିଶପ୍ତ
ପୃଥ୍ବୀର ଆବର୍ତ୍ତନେ ସ୍ବର ମିଳାଇ,
ଘୂରେ ବିବର୍ତ୍ତନର ଚରଖା
ବିନା ଆଶ୍ଳେଷେ ଆୟୁଷ ବିତେ,
ପ୍ରଲମ୍ବିତ ଲାଗେ ମୋକ୍ଷର ପ୍ରତୀକ୍ଷା
ସମ୍ପର୍କ ସୀମିତ ଏଠି,
କେଇ ମୂହୁର୍ତ୍ତର କାମନା ସିକ୍ତ ସମ୍ଭୋଗ
ଜୀବନକାଳ ପ୍ରହେଳିକାମୟ ,
ଶେଷରେ ପ୍ରଶ୍ନବାଚୀ ବିୟୋଗ।
ମୋହାଚ୍ଛନ୍ନ ପ୍ରେମ,ବଦଳରେ
କୁତ୍ସିତ ନିର୍ବାସିତ ମାନସିକତା
ସ୍ତିମିତ ଚେତନା,
ଅସ୍ତମିତ ସ୍ବପ୍ନ ମାନଙ୍କର ଆର୍ତ୍ତ ଆକୁଳତା
ପ୍ରାପ୍ତି ପରିତୃପ୍ତିର ସହଜ ମାନସାଙ୍କେ,
ଜୀବନ ସାଜେ ଇନ୍ଧନ
ବେଶି ଅନ୍ଧାର କମ୍ ଆଲୁଅ,
ଜୀବନ ଏକ ଔଜ୍ଜ୍ୱଲ୍ୟର ସନ୍ଧାନ ।
ପୀଢି ପରେ ପୀଢି ବୋହିଯାଏ,
ଜୀବନ ସାଗରେ ଉତ୍ତାଳ ଲହରୀ
ପ୍ରଗତିର ଡିଣ୍ଡିମରେ ବଦଳିନି କିଛି,
ବାହୁନୁଛି ଭାଗ୍ଯକୁ ଆଦରି
ମାଟି ମଗ୍ନା କୁହୁଡ଼ିର ସନ୍ତରଣେ
ପରିବ୍ୟାପ୍ତ ତା' ପାର୍ଥିବ ମୋହ
ଭିଟାମାଟି ଛାଡି ଇଟାଭାଟିରେ ସିଝୁଛି
ଆତ୍ମାର ଅସ୍ପଷ୍ଟ କୋହ ।
ସିଗନାଲ୍ ରେ ମା କୋଳେ,
ଭୋକପେଟା ଶିଶୁଟିର କରୁଣ ଚାହାଁଣି
ନାଲି ଫିତାଖଣ୍ଡକୁ ନିଅଣ୍ଟ,
ଜରି ଗୋଟାଳି ଝିଅ ହାତେ ଚାରଣୀ
ସମର ଏଠି ଅଭିଳଷିତ ବିଳାସ,
ପ୍ରକମ୍ପିତ ଚତୁର୍ଦ୍ଦିଗ ଯୁଦ୍ଧର ହୁଂକାର
ରକ୍ତାକ୍ତ ନିସ୍ପନ୍ଦ ଚିତ୍କାର,
ଆବୋରେ ଦେବାର୍ଚ୍ଚନାର କ୍ଷୀଣ ଓଂକାର।
ଅନ୍ତଃକରଣ ଅନ୍ବେଷଣେ କଟିଥିଲା
ଗିରିଶୃଙ୍ଘେ ଶହସ୍ର ଅବ୍ଦ
ଧ୍ବଂସର ଅନଳେ ଶୁଭେ ଅବାଞ୍ଛିତ
ବିଜୟର ଉଲ୍ଲାସ ଉନ୍ମାଦ
ଉଜୁଡା କ୍ଷେତରୁ ସପନ ସାଉଣ୍ଟେ,
ଆତ୍ମା ତା'ର ମୋକ୍ଷ ଆକାଂକ୍ଷିତ
ଜୀବନ ଜୀବିକାରେ କବଳିତ ସେ,
ଅବଧି ଆଗରୁ ସମାଧିସ୍ଥ ।
ଅହିଂସା ଆବରି ଲହୁଲୁହ ପିଇ
ପାଇଥିଲା ସ୍ବାଧୀନତା ମୋକ୍ଷ
ଅନୁଭବେ ତାହା ଏବେ ଦାଦନ ପିଠିରେ
ଶକ୍ତ ଚାବୁକ୍ ଠୁ ରୁକ୍ଷ
ପ୍ରଜାପତି ଭୁଲିଯାଏ ଅବଧାରଣେ
ସଁବାଳୁଆର ପ୍ରାଦୁର୍ଭାବ
କେଉଁଠି ମୋକ୍ଷ ଓ କିପରି ନିର୍ବାଣର
ଜୀବନୋନ୍ମୟ ଅନୁଭବ ।