ମୋହନା ଚଉତିଶା
ମୋହନା ଚଉତିଶା
କଂସ ନଗରୀ ରେ ବିହରି ଶ୍ରୀହରି ହଂସ ଗମନାକୁ ଭାବି ରେ
କୁସୁମ ବିଶିଖେ ବିଦ୍ଧ ହୋଇ ଦୁଃଖେ ବୋଲନ୍ତି ଆହା ବାନ୍ଧବୀ ରେ,
ମୋହନା, କେତେ ଦୂର ଧାତା କଲା ରେ,
କି ଛାଡି ରହିଲି କାହାପାଶେ ନେତ୍ର ପିଛାଡି ହେଉ ନ ଥିଲା ରେ (1)
ଖମଣି - ନନ୍ଦନା - ତଟ ବନ ସୂନ ନିର୍ମିତ ଜଙ୍ଗମ ଲତାରେ
ଖୁଆ - ମୁହାଁ ନବନୀତେ ତ ନଥିବ ତୋ ଶ୍ରୀଅଙ୍ଗେ କୋମଳତା ରେ
ମୋହନା, ଖଟପଡା ହଂସ ତୁଳିରେ
ଖୁରି ଅର୍ଦ୍ଧକାଳ ବରଜି ମୋ କୋଳ ପହୁଡିଲେ ପଡୁ ଲୁଳି ରେ (2)
ଗଜେନ୍ଦ୍ର ଗରବଗଞ୍ଜନ ଗମନା ଅଞ୍ଜନା ନୀଳ କୁନ୍ତଳା ରେ
ଗୁଣରୂପ ରସବତୀ ମାନଙ୍କର ଗୁରୁ ମୋ ନେତ୍ର ପିତୁଳା ରେ
ମୋହନା, ଗିରିତୁଙ୍ଗେତର ସ୍ତନା ରେ,
ଗୋରୀ ତୁ ମୋ ଗତି ମିଖି ଜଗତୀ ଶୀରି ତୁଳନା - ବିହୀନା ରେ (3)
ଘେନାଘେନି ବାଣୀ କୁହାପୋଛା ଠାଣି ଦୀନଜନ ଅନୁକମ୍ପା ରେ
ଘନକେଶା ଅଣୁମଧ୍ୟା ସିନା ଜାଣୁ ସୃତି ମୋତି ଝୁମ୍ପା କମ୍ପା ରେ
ମୋହନା, ଘଡିଏ ନୁହେଁ ପାଶୋରି ରେ,
ଘୃତାତୀମୁଖ ଲେଖ ବାରବାମାଏ ନୁହଁନ୍ତି ତ ତୋ ପା ସରି ରେ (4)
ନିରେଖି ମୋର ଛାମୁକୁ ଆସିବାର ଦିନେ ନିତମ୍ବୀବର ରେ
ନିଦ ନଥାଇ ନୟନ ବୁଜି ମିଛେ ଆଉଜିଲୁ ଅପସର ରେ
ମୋହନା, ନିକଟକୁ ଧିରେ ଆସିରେ
ନବ ଜାତି ସୂନ ଝରା ଖଞ୍ଜି ମୁଁ ନତନୁ ନଦେ ଗଲି ଭାସି ରେ (5)
ଚୁମ୍ବି ଚିବୁକେ ଚଟୁଳ ପୟୋଧର – ଚକ୍ରବାକେ ଦେଲି ପାଣି ରେ
ଚତୁରୀ ସେ ସୁଖ ଭୋଗକଲୁ କିଛି ନ ପାରିଲା ପରି ଜାଣି ରେ
ମୋହନା, ଚିର ସୁଖ ସ୍ୱାଦ ଅନ୍ତେ ରେ
ଚିହିକୁ ପଡିଲା ହୋଇ ଚନ୍ଦ୍ରାନନା ନିବିଡେ ଭିଡିଲୁ ମୋତେ ରେ (6)
ଛକେ ଛକେ ତହୁଁ ଛବି ଜଳଧିର ଛନ୍ଦି ପ୍ରତିଅଙ୍ଗ ଅଙ୍ଗେ ରେ
ଛପିଲି ଛଦଣ୍ଡ ଯାଏଁ ଫୁଲକାଣ୍ଡ ସମର ରସ ତରଙ୍ଗେ ରେ
ମୋହନା, ଛିଡନ୍ତେ ଉନ୍ମାଦ ଫାଶି ରେ,
ଛାଡ ଛୁରୀଅନା ଗଭା ମୋ ରାଣଟି ବୋଲି ଭାଷିଲୁ ଯା’ ହସି ରେ (7)
ଜଗତୀଭୂଷାର ଜାଣିବାକୁ ସାର ମୁଁ କିଛି ସୁସାର ରୀତିରେ
ଜବର ତ ବର - ଯୋଷା ତୁ ଶବର ସ୍ମର ଆହବରେ ମାତି ରେ
ମୋହନା, ଜାଗରୂକ ଅତି ହେଲୁ ରେ
ଜରଜର କରି ରସେ ମୋ ସନ୍ତାପ - ନଗରୀ ଜୁରାଇ ଦେଲୁ ରେ (8)
ଝସଧ୍ୱଜ ଗଜକୁମ୍ଭ ତୋ ଉରଜ କଟୀଟି ତୋ ମାୟା ସରୁ ରେ
ଝାଳବିନ୍ଦୁ ବୃନ୍ଦ ଝରିବା ତନୁରୁ ଝୁଲାଝୁଲି ଆୟାସରୁ ରେ
ମୋହନା, ଝୁମୁଥିଲୁ ମାରମଦେ ରେ
ଝଲକି ଲାବଣ୍ୟ ନେତ୍ର ମାର୍ଗେ ଆସି ଭରତି ହେଲା ମୋ ହୃଦେ ରେ(9)
ନିତମ୍ବ ବିମ୍ବ ଆଡମ୍ବର ଶମ୍ବର ସପନତ୍ନ ଡିଣ୍ଡିମେ କାହିଁ ରେ
ନୟନ କଳୁଷ ନୁହେଁ କି ନିଃଶେଷ ନିଧୁବନ କାଳେ ଚାହିଁ ରେ
ମୋହନା, ନାହିଁତୋ ପରି ତ୍ରିପୁର ରେ
ନୀବି ନବରସ ଅର୍ଗଳ ଗିରୀଶ ପର ମନ୍ଦିର ଗୋପୁର ରେ (10)
ଟୋକି ପଞ୍ଚଦଶ ଯାଏଁ ପରିବେଶ ପରା ଥାନ୍ତି କେତେ ଘେରି ରେ
ଟୋପି କସ୍ତୁରୀତିଳକ ଶୋଭିନୀ ତୁ ପଞ୍ଜଦଶ ଶଶୀପରି ରେ
ମୋହନା, ଟେକାଇ କୁସୁମା ଲଟ ରେ
ଟିକେ ପରିସରେ ଉଭାହେଲେ ସରେ ସଂସାର ସୁଷମାଲଟ ରେ (11)
ଠଉରି ଥିବ ମୋଧନ ସଙ୍ଗେ କେବେ ନୋହିବ ବୋଲି ଅନ୍ୟଥା ରେ
ଠାକୁର ମାନଙ୍କ ପଦପୀଠରେ ମୁଁ ଠୁକୁଥାଏ ନିତି ମଥା ରେ
ମୋହନା, ଠକ ପୁରୁଷ ଦଇବ ରେ
ଠୁଳେ ମୋ ତରସ ଭରତି ନ କଲା ଏ ଦେହ କେହି ସହିବ ରେ (12)
ଡାକି - ମନୋହର ମଧ୍ୟା କୁ ତ ଦୂର କରିଛି ନିର୍ଦ୍ଗୟ ହୃଦେ ରେ
ଡାକିବି ମୁଁ ଏବେ କାହାକୁ ଟି ଜୀବେଶ୍ୱରୀ କିରେ ବୋଲି ମୋଦେ ରେ
ମୋହନା, ଡିମ୍ବ ସାରଙ୍ଗ ଲୋଚନା ରେ
ଡକାକରି ଦିନ ଯିବ ମୋର ପାପ ଦଇବ କଲା ରଚନା ରେ (13)
ଢୋକେ ତୋ ମଧୁର ସୁବାସ ଅଧର ମଧୁରସ ନ ପାଇଲି ରେ
ଢାଳେ ଫୁଲ - କଙ୍କପତ୍ର ରଣରଙ୍କ ହୋଇ କାଳ ପୁହାଇଲି ରେ
ମୋହନା, ଢଳା ଚପଳା ନେତ୍ରାନ୍ତ ରେ
ଢାଳି ମୋ ବଦନେ ରଚିବାର ସ୍ମିତ ସ୍ୱପ୍ନ ହେଲା ପ୍ରାଣମିତ ରେ (14)
ଅଙ୍କରେ ପଙ୍କଜ ନେତ୍ରା ବସି ମୋର ଶରଦର ରାଜାନିଶି ରେ
ଇନ୍ଦୁ ଇନ୍ଦିରାକୁ ପ୍ରଶଂସିଲୁ ଧୀରେ ଅଙ୍ଗୁଳିକି ଦେଇ ଘଷି ରେ
ମୋହନା, ଅଳକା କସ୍ତୁରୀ ମସୀରେ
ଏଥିକି କେ ପାରିବ ମୋ ମା ବୋଲି ଗଲୁ ହସି ମୋ ତନୁରେ ମିଶି ରେ (15)
ତନୁରୁ ଅନ୍ତର ହୋଇବାରୁ ମୋର ତିଳେ ତ ସହି ନପାରୁ ରେ
ତରୁଣ ତମାଳ ଡରୁକି ତରୁଣୀମଣି ପରିରମ୍ଭ କରୁ ରେ
ମୋହନା, ତରକି ତୋର ମଉଜି ରେ
ତପତ ତପନୀୟକୁ ମୀନାକ୍ଷି ପରି ମୀନାକ୍ଷୀ ଥାଏ ମୁଁ ଭଜି ରେ(16)
ଥରି ମନ୍ନଥରେ ଡରି ଥରେ ଥରେ ଡରି ଯାଉଥାଏଁ ମୁହିଁ ରେ
ଥାପି କରିଦେଉ କି ଭାବରେ ପୂର୍ଣ୍ଣ ବିଙାବରୀବର ମୁହୀଁ ରେ
ମୋହନା,ଥିଲେ ତୋ ଛାମୁରେ ବସି ରେ
ଥାଟପରି ମାଡି ଆସୁଥିଲେ ଛାଡିଯାଏ ସ୍ମରତାପ ରାଶି ରେ (17)
ଦିନେ ଦିନେ ଦିନ ଦିଧୀତି - ଦୁହିତା ତଟ ଅଟବୀରେ ପଶି ରେ
ଦୁହେଁ ମିଶି ଫୁଲ ତୋଳିବା କାଳରେ କି ରସ ଯାଏ ବରଷିରେ
ମୋହନା, ଦୁରାପ ସେ ଦେବତାଙ୍କୁ ରେ
ଦିବ୍ୟ ଦ୍ରବ୍ୟମାନ ମିଳୁ ତୋ ସମାନ ରସିକା କେ ଦେବ ତାଙ୍କୁ ରେ (18)
ଧରାଅ ପୁନ୍ନାଗ ଝରାକୁ ମୋ ଶିରେ ବୋଲି ତାହାଙ୍କୁ ମୁଁ ଭାବିରେ
ଧନ ମୋ କୋଡରେ ଥାଇ ମୋ ଗୋଡରେ ତୋଡର କରୁ ମାଧବୀ ରେ
ମୋହନା, ଧାର୍ମିକ ପଣକୁ ଜାଣିରେ
ଧରି ପ୍ରପଦରୁ ମଥାଯାଏଁ ଲକ୍ଷେ ଚୁମ୍ବଇ ମୁଁ ଗଣି ଗଣି ରେ (19)
ନକ୍ଷତ୍ରମଣ୍ଡଳ ଚୁମ୍ବ ଚାରୁ ଚେଳ ବଲ୍ଲରୀ ବଡଭୀତଳେ ରେ
ନିସ୍ତନ୍ଦ୍ର ଚନ୍ଦ୍ର ସୁନ୍ଦ୍ର ମୁଖୀ ସଖୀବୃତ ଗଦୀ ମଧ୍ୟସ୍ଥଳେ ରେ
ମୋହନା, ନିଶାମୁଖେ ବିଜେକରି ରେ
ନିର୍ଜରାଦିନାଥ ନିତମ୍ବିନୀ ପରି ବିପଞ୍ଚାକି ଅଙ୍କେ ଧରି ରେ (20)
ପ୍ରଶଂସାରେ ମୋର ପୂରି ରହିବାର ଚଷକ ରସ କବିତା ରେ
ପଞ୍ଚମେ ପକାଇଥିଲୁ ମାଳବର ବିଭୂଷିତା ରେ
ମୋହନା, ପହିଁଲୁ ତ ଦିନ ଶେଷ ରେ
ପୃଥୁ ଅପସର ପଛେ ଥିଲି ତୋର ପ୍ରିୟ ସହଚରୀ ବେଶେ ରେ (21)
ଫୁଲାଇ ପୁଲକ ମୁକୁଳେ ପ୍ରତୀକ ଗୋଟିଯାକ ମୋଦ ବଳେ ରେ
ଫଣି ପଶୁ ଶିଶୁ ଶ୍ରବଣ ପ୍ରବଣ ସଙ୍ଗୀତେ ରସିବା ବେଳେ ରେ
ମୋହନା, ଫାଟିଲା ମୋ ଧୃତି ଘଟି ରେ
ଫୁଲକୁଞ୍ଜ ମୁଖେ ଟୁମ୍ବିଲି ପଛରୁ ଭିଡି ଧରି ଶତଗୋଟି ରେ (22)
ବେହେଲା ସୀତାର ତମ୍ବୁରା ଅମୃତ ପିନାକୀ ଚନ୍ଦ୍ର ମର୍ଦ୍ଦନୀ ରେ
ବଂଶୀମୁଖ ଚଙ୍ଗ ଖଞ୍ଜରୀ ସାରଙ୍ଗ କିଙ୍କିଣି ମର୍ଦ୍ଦଳ ଗିନି ରେ
ମୋହନା, ବଜାଉ ଥିଲେ ଯେ ସଖି ରେ
ବ୍ରୀଡା ଭରନତ ବଦନରେ ସ୍ମିତ ଥରି ପଳାଇଲେ ଦେଖି ରେ (23)
ଭରତ ବନ୍ଧୁର କଳା ଚାଳନାଦି କଉତୁକ ମହୋତ୍ସବେ ରେ
ଭରତି କଲାଇଁ ସେ ରାତି ଶିବଙ୍କ ଅରାତି ପ୍ରବୀରା ହବେ ରେ
ମୋହନା, ଭଗ୍ୟହୀନ ଦଶା ଏବେ ରେ
ଭଗାରୀ ହସାଇ ଦେଉଛି ଭସାଇ ତୋ ବିଚ୍ଛେଦ ମହାର୍ଣ୍ଣବେ ରେ (24)
ମାନସେ ମୋହର ନଥିଲା ମଦନ କେଳି ବିଦ୍ୟା କଳ୍ପବଲ୍ଲୀ ରେ
ମଧୁରାଧରାମୃତ ପାନ ଏପରି ଅଧୀରା ହୋଇବ ବୋଲିରେ
ମୋହନା, ମନ୍ଦମତି ଚାରିମୁଖ ରେ
ମାରି ନ ପକାଇ ମରିବି ପକାଇ ଦେଲା ମୋର ମୂଳ ସୁଖରେ (25)
ଯତ୍ନ ଶତଶତ କଲେ ହେଲେ ଶିତସ୍ମିତା ଯା ନଦେଉ ଧରା ରେ
ଯତ୍ନ ଧୁରନ୍ଧର ସ୍ମର ଶୈଶଁ ଶର ମାୟାବିଦ୍ୟା ତୁହି ପରା ରେ
ମୋହନା, ଯଶହୀନ ମୋ କରମ ରେ
ଯାତ ଯାମ କରି ଦେଉଛି ମକରୀ - ମଣ୍ଡନା ତୋ ସଙ୍ଗୋବ୍ୟମ ରେ (26)
ରତି ରସାଞ୍ଚଳ ସମୟେ ଚଞ୍ଚଳଭାବ ନୟନେ ନ ଥାଇ ରେ
ରଣକୃତ - ଶର – ବ୍ରଣ ତନୁ ଶୂର ପରି ଅଳପ ବ୍ୟଥାଇ ରେ
ମୋହନା, ରୁଷିଲାପରି ଶ୍ରୀମୁଖ ରେ
ରଖି ତାରକା ମନ୍ଥର ନେତ୍ରାନ୍ତରେ ସସ୍ମିତେ ଦେଉ କି ସୁଖ ରେ (27)
ଲକ୍ଷ ଲଡୁ ଲମ୍ବୋଦରଙ୍କ ଅଧରେ ଲାଗି କରାଇବା ଫଳରେ
ଲୋକା - ଲୋକ ଶୀରି ସିନା ଚୋରିକରି ମଣ୍ଡିଛି ତୋ ବକ୍ଷସ୍ଥଳ ରେ
ମୋହନା, ଲୋକ ବୋଲେ ପୟୋଧର ରେ
ଲାଗେ ଅତି ଭାରି ଘେନି ମେରୁ ପରି ହେବାରୁ ସମୁକ୍ତା - ହାର ରେ (28)
ବଉଳବଲ୍ଲୀ ବାସରେ ଦିନେ ହୋଇ ବିଶ୍ୱକେତୁ ରସାତୁରା ରେ
ବସିଥିଲୁ ମୋର ଉତ୍ସଙ୍ଗରେ ରସି ବସିକରଣ ଚତୁରା ରେ
ମୋହନା, ବିମ୍ବାଧରୁ ଦେଇ ମଧୁ ରେ
ବିଦେଶପରି ଏ ସୁଆଦ ହେବ କି ବୋଲି ଯେ ସୁନବବଧୂ ରେ (29)
ଶଚୀ ଶତମୁଖ ଦୁହେଁ ଯେଉଁ ସୁଖ ନଲଭନ୍ତି ଅଭିଳାଷରେ
ଷଷୀ ସକଳ ଶିରଭୂଷା ପ୍ରସାଦୁ ହୋଇଥିଲା ଆମ୍ଭ ବଶ ରେ
ମୋହନା, ଶାତଘାତିନୀ ଏ ଦଶାରେ
ଶମ୍ଭୁ ପ୍ରସାଦକୁ କରି ନେଲା ଶଶ ବିଷାଣ ସଦୃଶ ମଷା ରେ (30)
ଷଟପଦ ଯୁବାପରି ଆଚରିବା ଚରିତ ମୋର କୁହନାରେ
ଷୋଡଶରୁ ଉଣା ବୟସୀରେ କିଣା ତୋହରି ଏ ପ୍ରାଣ ସିନାରେ
ମୋହନା, ଷଡଘ୍ରିଂ ନୀଳ କୁନ୍ତଳା ରେ
ଷଡାସ୍ୟ ଜନକ ବିପକ୍ଷ ତଟିନୀ ଡରିବାକୁ ତୁ ମୋ ଭେଳା ରେ (31)
ସରସିଜ ସୂନୁ ସରଜିବ ନାହିଁ ସରସ ହେବା ସଂସାର ରେ
ସର୍ଜିଲେ ସର୍ବଥା ସଞ୍ଚିତ କରିବ ନାହିଁ ତହିଁ ସ୍ନେହ ସାର ରେ
ମୋହନା, ସ୍ନେହକୁ ଯେବେ ସର୍ଜିବ ରେ
ସ୍ନେହୀଁ ବିରହରେ ସେହିକ୍ଷଣେ ସରିଯିବାକୁ ଉପାୟ ଥିବ ରେ (32)
ହିଣ୍ଡିର ହାର ହୀରକ ହୀମଚୟ କୁମୂଦ କର୍ପୂର ହାସୀ ରେ
ହଇରାଣ ବଡ ହେଲି ତତେ ଦୂରେ ହରାଇ ହୋଇ ପ୍ରବାସୀ ରେ
ମୋହନା ହେବ ହରକୃପା ଲବେ
ହେମସାର ଗୋରା ମୃଦୁ ତନୁଟି କି ଏ ମସାର ଯୁତ ହେବ ରେ (33)
କ୍ଷମଦା ରତି ବାନ୍ଧବୀ ସୁଖୀକର ବିରହୁଁ ବ୍ରଜେନ୍ଦ୍ରସୁତ ରେ
କ୍ଷଣାର୍ଧକୁ ଯୁଗଠାରୁ ଅତି ଦୀର୍ଘ ଘେନି ହୋଇ ସନ୍ତପତ ରେ
ମୋହନା, କ୍ଷମ ନୋହିଁ ବିରହଣ ରେ
କ୍ଷୀଣାନନ୍ଦ ହେଲେ ଜଗଦ୍ଦେବ ହରିଚନ୍ଦନ ଭୂପତି ଭଣେ ରେ (34)
