ମୋହ
ମୋହ
ବିତି ଗଲା ଯାହା
ଭୁଲିଯାଅ ତାକୁ
ଉଦାସ ରଖନା ମନେ
ରହିନାହିଁ କେହି
ରହିବନି କେହି
ଫେରିବାକୁ ହେବ ଦିନେ l
ଗଲା କଥା ପରା
ଗଲାରେ ସଙ୍ଗାତ
ଝୁରୁଛି କାହିଁ ହୃଦୟ
ଆକାଶକୁ ଦେଖ
କେତେ ସେ ପ୍ରଶାନ୍ତ
ନାହିଁ ଉଦାସର ଲୟ l
ହଜାରେ ତାରାଙ୍କ
ସାଥେ ନିତି ହସେ
ମଧୁମୟ କୁଞ୍ଜବନେ
କିଏ ଉଲ୍କା ସାଜି
ଭୂପତିତ ହୁଏ
ନିଷ୍ପ୍ରଭ ହୁଏ କେ ଶୂନ୍ୟେ l
ସମୟ ଏମିତି
ଗଡି ଗଡି ଯାଏ
ବଦଳେ ଘଟଣା କେତେ
ଭରିଯାଏ କ୍ଷତ
ମନ ହୃଦୟର
ସମୟର ମହାସ୍ରୋତେ l
ନଦୀ ବହିଯାଏ
କଣ୍ଟକିତ ପଥେ
କଠୋର ଆଘାତ ସହି
ପ୍ରବଳ ନିଦାଘ
ପ୍ରଚଣ୍ଡ ଉତ୍ତାପ
ଯନ୍ତ୍ରଣା ପାରେନା କହି l
କେବେ ଶୁଷ୍କ ସିଏ
ଗ୍ରୀଷ୍ମ ରୌଦ୍ରତାପେ
ବିଦଗ୍ଧ ଠିକଣା ତାର
କେବେ ପୂର୍ଣ୍ଣଗର୍ଭା
ଶ୍ରାବଣ ପ୍ରଣୟେ
ସାଗର ଭାବେ ବିଭୋର l
ଜୀବନ ଏମିତି
ମିଠା ଗୀତଟିଏ
ହସ ଲୁହ ମିଶାମିଶି
ଗାଇବାକୁ ହେବ
ସୂର ତାଳ ଦେଇ
ସୁଖେ ଦୁଃଖେ ହସି ହସି l
ଆଜି ଯାହା ଅଛି
କାଲି ସେ ଅତୀତ
ଅତୀତ ତ ଇତିହାସ
ନିଶ୍ୱାସକୁ ଏଠି
ଭରସା ପାଏନି
କାଲିକୁ କିବା ବିଶ୍ୱାସ l
ଗଲାପୁତ୍ର କେବେ
ବାହୁଡ଼ି ଆସେନି
କପୋତୀ ଗୁମୁରି ମରେ
ଗୋପରୁ ମଥୁରା
କୋଶ କୋଶ ଦୂର
ଦିନବିତେ ନିରାଶାରେ l
ହଜିବା ଖୋଜିବା
ପାଇବା ହାରିବା
ନିୟତିର ହସ୍ତ ରେଖା
ଅବୁଝା ହୃଦୟ
ଝୁରେ ପଞ୍ଚପ୍ରାଣ
ସମ୍ପର୍କର ଜ୍ୟୋତିଶିଖା l
ସବୁ ଆରମ୍ଭର
ସୀମାରେଖା ଅନ୍ତ
ଅନ୍ତ'ରେ ଆରମ୍ଭ ସୃଷ୍ଟି
ଜୀବନ ଚକ୍ରତ
ଘୁରୁଚି ଏମିତି
ସୁଖ ଦୁଃଖର ସମଷ୍ଟି l।