ମୋ' ସ୍ରଷ୍ଟା
ମୋ' ସ୍ରଷ୍ଟା
ତ୍ଯାଗ ଯେତେ ଉତ୍ସର୍ଗ କରି ତୁମ ପାଇଁ
ହେଇ ନ ପାରେ ମୁଁ ଭୀଷ୍ମ ।
ତଥାପି ମୁଁ ହେଇପାରେ ତୁମ ସ୍ନେହ ଆୟୁଷ୍ମାନ ।।
ସବୁ ତ୍ଯାଗ ତୁମ ପାଇଁ ବାପା,
ତୁମ ରକ୍ତ ସ୍ବେଦ ଅସ୍ତି ମଜ୍ଜାର ଏ ଦେହ
ତୁମେତ ମୋ' ଜୀବନ୍ତ ଠାକୁର ମୂର୍ତ୍ତିମନ୍ତ ପ୍ରତୀକ ।।
ତୁମେ ତ ତୁମ ନିଜର ନ ଥିଲ,
ବାଣ୍ଟିଦେଇଥିଲ ଶ୍ଯାମଳ ଦେହଟାକୁ
ସାରା ପରିବାର ଭିତରେ ।।
ତୁମ ଚରିତ୍ରୁ ଭାଗ କରି ରୋପି ଦେଇଥିଲ
ଜୀବନ ଗଠନ ମୃର୍ତ୍ତିକା ଭିତରେ ।।
ତୁମ ସୃଷ୍ଟିକୁ ନିରେଖି ଦେଖୁଥିଲେ ବାରମ୍ବାର
କେଉଁ ଦୂର ଦିଗ୍ ବଳୟ ମଶ୍ଚିମାକାଶ ତଳେ
ତୁମ ଆଦର୍ଶର ଆଲୋକ ସଂଚରିଥିଲା
ମୋର ଏ ଜଡ କଳେବରେ,
ତୁମ କଠୋର ଓ ତୀର୍ଯକ ନିୟମ ଥିଲା
ମୋତେ ଗଢି ତୋଳିବାରେ ।।
ତୁମେ ନ ଦିଅ ପଛେ ଲକ୍ଷେ ସପନର
ସୌଦାଗର ହେବାର ଆଶିଷ ।
ଅୟସରେ ବନ୍ଦି ହୋଇ ବଞ୍ଚିବା ଅଭିଳାଷ
ମୋତେ ତ ଦେଇଛ ପରମ ବିଶ୍ବାସ ।।
ମୁଁ ପାଳିଛି ତୁମ ଧର୍ମ ବଞ୍ଚେଇଚି
ବଂଶ ପରମ୍ପରା ବହୁତ ଉର୍ଦ୍ଧରେ ।।
ଭୋଗିନି ଜାତନା କେଉଁ ଅପରାଧୀ ହୋଇ
କଳଙ୍କ ଲାଗିନି ତୁମ ମର୍ଯ୍ଯାଦା ବଂଶରେ ।।
ତୁମ ନାମ ଧର୍ମ ଏବେବି ବିଦିତ,
ଗୁଞ୍ଜରିତ ହୁଏ ପ୍ରତିଟି ଦରଦୀ ପ୍ରାଣରେ ।
ଲେଖା ତୁମ ନାଆଁ,
ଗାଁ,ପୁର, ପଲ୍ଲୀ ଧୂସର ମାଟିରେ ।।
ପ୍ରଫୁଲ୍ଲ
ିତ ହୁଏ ମନ ରୋମାଞ୍ଚିତ ପ୍ରାଣ
ସତରେ, ତୁମେ ଜଟିଳ ଭିତରେ କେଡେ
ସରଳ ମଣିଷଟିଏ ।।
ସମୟଟା ସରିଥିଲା ତୁମ ଶୈଶବରୁ
ଦି' ଚାଖଣ୍ଡ ଖୋର୍ଦ୍ଧାର ନାଲି ଗାମୁଛାରେ
ଖଦଡ ଧୋତୀ ଓ ପଞ୍ଜାବୀ ପିନ୍ଧାରେ ।।
ତା ଭିତରେ ଥିଲା ତୁମ ସ୍ବାଭିମାନୀ,
ମହାମାନୀ ଓ ମହାଜ୍ଞାନୀର ଗାରିମା
ଏ ଗାଁର ଲୋକଙ୍କ ଭିତରେ ।।
ତୁମେ ଜୁଝିଛ ମୁଣ୍ଡଫଟା ଖରାରେ
ବର୍ଷଣ ମୁଖର ରାତି ପୁହାଇଛ
ଭିଜି ଭିଜି ଚାଳ ଘରଟିରେ ।।
ଆତ୍ମକଥା ବୁଝିଚ ବଉଳା ଗାଈର
ଶଗଡ ଟଣା ବଳଦ ଆଉ କାଦୁଅ ରାସ୍ତାର ।
ଆକାଶ ନଇଁ ଯେବେ ଦିଏ ଚୂମ୍ବନ ମାଟିରେ
ଉନ୍ମାଦ ଶ୍ରାବଣୀ ଯେବେ ବର୍ଷିଯାଏ ଅଣାୟତେ
ଫଳାଇଛ ଶସ୍ଯ ଫଳ ଫୁଲ କେତେ
ତୁମ ପୂଣ୍ଯ ହାତେ, ଏ ମଣିଷ ଜାତି ହିତେ ସତେ ।।
ତୁମେ ମୋର ବାପା ବୋଲି ଗର୍ବ ହୁଏ ମୋତେ ।
ତୁମକୁ ପାଇବା ପାଇଁ ଜନ୍ମ ଜନ୍ମାନ୍ତରେ
ଖୋଜିବ ହେ ପୂଣ୍ଯାତ୍ମା-
ଆକାଶର ତାରା ଓ ସାଗରର ବାଲି ଯେତେ ।।
ଆନ ଦେବତା କେ' ମୁଁ ଚିହ୍ନିନି କଦାଚିତ୍ତେ
ତୁମ ମୋର ସ୍ରଷ୍ଟା -
ତୁମ ବିନା ନାହିଁ ଅସ୍ତିତ୍ବ ମୋର
ତୁମେ ମୋର ଆସ୍ଥା, ବ୍ରତ, ଶ୍ରଦ୍ଧା,ତପୋ
ଦର୍ଶନ ଓ ଜୀବନ ତର୍ପଣ।
ତୁମ ବିନା ନାହିଁ କାହିଁ ଦିବ୍ଯ ଦରଶନ ।।
ତୁମ ପାଦେ ପ୍ରଣିପାତ
ପ୍ରତିଟି ପ୍ରଭାତେ ।।