STORYMIRROR

Aishwarya Mishra

Inspirational Children

4  

Aishwarya Mishra

Inspirational Children

ମୋ ଶ୍ରୀକ୍ଷେତ୍ର ଭୂଇଁ

ମୋ ଶ୍ରୀକ୍ଷେତ୍ର ଭୂଇଁ

1 min
294

ମାଟି ଯହିଁ ବାସେ ଚନ୍ଦନ ଚନ୍ଦନ

ଜଗାର ପରଶ ପାଇ

ସାରା ଜଗତରେ ସବୁଠୁଁ ସୁନ୍ଦର

ମୋହର ଶ୍ରୀକ୍ଷେତ୍ର ଭୂଇଁ ,


ବାର ମାସେ ଏଠି ତେରଟି ପରବ

ଯାନି-ଯାତ ଲାଗିଥାଇ

ଦାଣ୍ଡ ଧୂଳି ଯାଆର କସ୍ତୁରୀ ସମାନ

ସିଏ ମୋର ଜନ୍ମଭୂଇଁ ,


ଦୁଇ ବାହୁ ମେଲି ବସିଛି କାଳିଆ

ଦୁଃଖକୁ ହରିବ ବୋଲି 

ଭାଇ ଭଉଣୀଙ୍କ ସହିତ ବସିଛି

ସିଂହଦ୍ଵାର ତା'ର ଖୋଲି ,


ପତିତପାବନ ବାନା ଉଡୁଅଛି 

ପତିତ ଉଦ୍ଧାର ପାଇଁ 

ହାତ ଠାରି ଡାକେ ମନ୍ଦିର ବେଢାକୁ

ଆସ ହେ ପତିତ ଧାଇଁ,


ମନ୍ଦିରର ନାମ ଶ୍ରୀମନ୍ଦିର ପୁଣି 

କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର

ବଡ଼ଦିଅଁ ବୋଲି ପଡୁଅଛି ହୁରି

ତିନି ଭୁବନେ ସର୍ବତ୍ର ,


ସ୍ୱର୍ଗଦ୍ଵାର ଅଟେ ଶ୍ମଶାନ ଯାହାର

ମୃତ୍ୟୁକୁ ଲାଗେନା ଡ଼ର 

ଶଂଖରେ ପୂରେଇ ଚକ୍ର ଆଢୁଆଳେ

ରଖିଥାଏ ଜଗା ମୋର,


ଯେଉଁ କ୍ଷେତ୍ର ଧୂଳି ଦେହରେ ବାଜିଲେ 

ପୂର୍ଣ୍ଣ ହୁଏ ମନସ୍କାମ 

ଚାରି ଧାମ ମଧ୍ୟେ ସବୁଠୁଁ ସୁନ୍ଦର

ମୋହର ଶ୍ରୀକ୍ଷେତ୍ର ଧାମ,


ରଥାଯାତ୍ରା ହୁଏ ବରଷକେ ଥରେ

ଜଗା ଯାଏ ବୁଲିବାକୁ

ରଥରେ ବସି ସେ ମନ ଆନନ୍ଦରେ

ଦେଖେ ଭକତମାନଙ୍କୁ,


ନରେନ୍ଦ୍ରକୁ ଯାଏ ଖେଳିବାକୁ ଚାପ

ଘୋର ଗ୍ରୀଷମ କାଳରେ

ମୋହନ ରୂପରେ ଦିଶଇ ସୁନ୍ଦର

ମଣିବିମାନ କୋଳରେ ,


ଦୋଳପୁନେଇଁରେ ଦୋଳବେଦୀ ଯାଇ

କାଳିଆ ଖେଳଇ ହୋଲି

ମନେପଡ଼େ ତା'ର ଗୋପ ବୃନ୍ଦାବନ

କଦମ୍ବ ବନର ଦୋଳି ,


ଜଗା ପରଶରେ ହସଇ ମୋ କ୍ଷେତ୍ର

ଯାନି-ଯାତ ଲାଗିଥାଇ

ଶାଗ ପଖାଳ ବି ପ୍ରସାଦ ସମାନ

ପୁଣ୍ୟ ମୋ ଶ୍ରୀକ୍ଷେତ୍ର ଭୂଇଁ ,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational