ମୋ ପରିଚ଼ୟ
ମୋ ପରିଚ଼ୟ
ବାପ,ବୋଉଙ୍କର, "ପୁଅ" ବୋଲି ମୁହିଁ,
ଜାଣିଲି ପ୍ରଥମ କରି,
ଦାଦା, ଖୁଡୀଙ୍କର,"ପୁତୁରା" ବୋଲି ସେ,
ଆଦରେ ଥାଆନ୍ତି ଧରି ।
ଜେଜେ, ମାଆ, ଅଜା, ଆଈଙ୍କର ମୁହିଁ,
ଅଟେ ଆଦରର "ନାତି",
ମାମୁଁ, ମାଇଁଙ୍କର "ଭଣଜା" ବୋଲିକି,
ଫୁଲି ଉଠେ ତାଙ୍କ' ଛାତି ।
ବିଦ୍ୟାଳୟ ଯେବେ, ଗଲି ମୁଁ ପ୍ରଥମେ,
"ସାଙ୍ଗ" ଡାକ ଗଲା ମିଳି,
ଗୁରୁଙ୍କ' ପାଶେ ମୋ',ପରିଚୟ "ଛାତ୍ର",
ଅନ୍ୟ ସାଙ୍ଗ ସାଥୀ ଭଳି ।
ବାପା, ବୋଉଙ୍କର,ସବୁ ପୁଅ, ଝିଅ,
କହିଥାନ୍ତି ମୋତେ "ଭାଇ",
ଦାଦା, ବଡ଼ ବାପା, ମାମୁଁଙ୍କ' ପିଲା ବି,
ଭାଇ,ଭଉଣୀ ମୋ' ପାଇଁ ।
ଚାକିରୀ ଖଣ୍ଡିଏ, କଲି ଯେତେବେଳେ,
ହୋଇଲି "ତ୍ରିପାଠୀ ବାବୁ",
ବିଭା ହେବା ପରେ ଭାରିଜାର "ସ୍ୱାମୀ",
ଆସୁ ଆସୁ କଲା କାବୁ ।
ତା' ବାପ, ମାଆ ମୋ', "ଶ୍ୱଶୁର ଓ ଶାଶୁ",
ଜ୍ୱାଇଁ" ଡାକିଥା'ନ୍ତି ମୋତେ,
ଶଳା, ଶାଳୀଙ୍କର "ଭିଣୋଇ" ବୋଲିକି',
ଥଟ୍ଟା କରିଥା'ନ୍ତି କେତେ ।
କିଛି ଦିନ ପରେ ପିଲା ଛୁଆ ହୋଇ,
"ବାପା" ବନିଗଲି ମୁହିଁ,
ଏବେ ଜୀବନର ଶେଷ ପାହାଚରେ,
"ଅଜା,ଜେଜେ" ଅଛି ହୋଇ ।
ସାହି ପିଲାମାନେ ଦେଖିଲେ କହନ୍ତି,
ହେଇଟି' ଆସୁଛି "ବୁଢା",
ନ୍ୟାୟ, ନିଶାପରେ,"ଭଦ୍ର ଲୋକ" ସାଜି,
ପାଞ୍ଚ ଜଣେ ହୁଏ ଛିଡା ।
ଏ ସବୁ ଅଟଇ, ବିଧିର ବିଧାନ,
କାଳ ଚକ୍ର ଭଳି ବୁଲେ,
ଆଜି ଯିଏ ଶିଶୁ,ବଡ଼ ହେଲେ ତାକୁ,
ନୂଆ ପରିଚୟ ମିଳେ ।