ମୋ ପିଲାଦିନ
ମୋ ପିଲାଦିନ
କି ସୁନ୍ଦର ଆହା ଥିଲା ସେହିବେଳ,
ଫେରନ୍ତା କି ଆଉ ଥରେ
ଭୁଲି ସବୁକିଛି ଖେଳନ୍ତି ଯାଇ ମୁଁ,
ମୋ ବାପାବୋଉ ଙ୍କର କୋଳେ ।
ଶୁଣନ୍ତି ମୁଁ ପୁଣି ସେଇ ମିଠା ଗାଳି,
ଅକଟି ମୋଡ଼ନ୍ତେ କାନ
ସମୟ ସୁଅରେ କାହିଁ ଭାସିଗଲା,
ଆଜି ସେଇ ପିଲାଦିନ ।
ଚକୁଳି ଏଣ୍ଡୁରି ସୁଜି କାକରା ର,
ସୁଆଦ ଗଲିଣି ଭୁଲି
ପିଜା ବର୍ଗର ର ଉତ୍କଟ ବାସ୍ନା ରେ,
ପୂଜା ପର୍ବ ଯାଏ ସରି ।
ସାଇକେଲ ରେ ବସି ବାପା ଙ୍କ ସାଥିରେ
ଯାତେରା ଦେଖିବା ଖୁସି
ମିଳୁନାହିଁ ଆଜି ଯେତେ ବି ବୁଲିଲେ
ଦାମୀ ବାଇକ୍ କାର୍ ରେ ବସି ।
ଛୋଟ ବିଞ୍ଛଣା ବିଞ୍ଚି ଦେଲେ ବୋଉ
ଶୁଖି ଯାଉଥିଲା ଝାଳ
ସେଣ୍ଟ୍ରାଲ ଏସି ରେ ବସିଛି ହେଲେ ବି
ଝାଳ ରେ ମୁଁ ସରସର ।
ଅଭାବ ଭିତରେ ଛୋଟ ଚାଳ ଘରେ,
ରହୁଥିଲୁ ଆମେ ଭଉଣୀ ଭାଇ
ରମ୍ୟ ଅଟ୍ଟାଳିକା ପାଖେ ଅଛି ହେଲେ,
ରହିବାକୁ କେହି ଲୋକ ତ ନାହିଁ ।
ବୋଉ ର ପରଷା ଶାଗ ପଖାଳରେ
ଲୁଚି ଥିଲା ଯେଉଁ ଖୁସି
ସେଇ ସୁଖ ଆଜି ମିଳୁନାହିଁ କାହିଁ
ପଞ୍ଚତାରକା ହୋଟେଲ୍ ରେ ବସି ।
କ୍ରିକେଟ୍ ଖେଳିଛି ଗାଁ ବିଲମାଳେ
ନଦୀପୋଖରୀ ରେ ମାରି ଡ଼ିଆଁ
ସୁଇମିଂ ପୁଲ ଜିମ୍ ଷ୍ଟାଡିୟମ୍
ଯାଇ ବି ଏ ମନ ବୁଝେନା କିଆଁ ।
ଛୋଟବେଳେ ଯେବେ ଶୁଣୁଥିଲି ଗାଳି
ଭାବେ ଥରେ ହୁଏ ଖାଲି ବଡ଼
ବଡ଼ ହେଲି ପରେ ମନ ଖୋଜେ ଆଜି
ପୁରୁଣା ଦିନ ର ଗାଳି ଓ ମାଡ଼ ।
ଅଭୁଲା ଅତୀତ ଅଫେରା ଜାଣିଛି
ମନେପଡେ ତାର ସ୍ମୃତି
କି ସୁନ୍ଦର ଥିଲା ମୋର ପିଲାଦିନ
ଖୋଜୁଛି ଆଜି ମୁଁ ନିତି ।
