ମୋ ମନର ଆଶା ଓ ଆକାଂକ୍ଷା
ମୋ ମନର ଆଶା ଓ ଆକାଂକ୍ଷା
ବ୍ୟକ୍ତି ଓ ସମାଜ ପରସ୍ପର ମଧ୍ୟରେ
ସଦା ରହିଛି ଗଭୀର ସମ୍ବନ୍ଧ
ସମାଜ ହେଲେ କଳୁଷିତ, ମଣିଷ ହୁଏ
ଦୂଷିତ, ଉନ୍ନତିର ରାସ୍ତା ବନ୍ଦ ।
ସମାଜରେ, ସେ ଏକ ମଣିଷ ଆଉ
ଅମୁକ ଜଣେ ତ ଭଲ ମଣିଷ
ପାର୍ଥକ୍ୟ, ଭଲ ମଣିଷ ଭିତରେ ହୁଏ
ମାନବିକତାର ପରିପ୍ରକାଶ ।
ମାନବିକତାର ପ୍ରକାଶ ହୋଇଥାଏ
ବାହ୍ୟ ଆଚରଣରେ ପ୍ରସ୍ଫୁଟିତ
ପ୍ରସ୍ଫୁଟିତ ହୁଏ, ଜଣେ ଅନ୍ୟର ଲୁହକୁ
ଯଦି ପୋଛିବାକୁ ସଦା ଚେଷ୍ଟିତ ।
ପାଖରେ ଧନ ସମ୍ପତ୍ତି ନଥାଇ ପାରେ,
ସେ ମନରେ ଗରିବ ନୁହେଁ
ଯାହା ଚିନ୍ତାଧାରା ଓ ଲକ୍ଷ୍ୟ ମହତ ତାକୁ
ନିଶ୍ଚିତ ବଡ କରି ପାରିଥାଏ ।
ସ୍ନେହ ପ୍ରେମର ଭାବନା ବିକଶିତ ହୁଏ
ହିଂସା ଦ୍ୱେଷରୁ ଦୁରେଇଲେ
ସମଗ୍ର ବିଶ୍ୱ ହିଁ ସୁନ୍ଦରମୟ ଲାଗିଥାଏ
ମନର ଭାବନା ସୁନ୍ଦର ଥିଲେ ।
ମଣିଷର ପ୍ରକୃତିରେ ଅତି ଦୃଷ୍ଟ ଅହଂକାର
ଅଟେ ମନର ସୋଦର
ସମସ୍ତ ପଦାର୍ଥ ଓ ମଣିଷ ଉପରେ ଆଧିପତ୍ୟ
ନେବା ପାଇଁ ସତତ ତତ୍ପର ।
ମଣିଷର ଆଶା ଓ ଆକାଂକ୍ଷାର ରାସ୍ତା
ସର୍ବଦା ଅଟେ ଲମ୍ବାଳିଆ
ଧନ ଯୌବନ କ୍ଷମତା ଗର୍ବେ ହରେଇ ନିଜର
ବିଚାରଶକ୍ତି, ଧନ ଅର୍ଜିବାକୁ ହୁଏ ଠିଆ ।
ମନରୁ, କେହି ରହିନାହିଁ ରହିବେ ନାହିଁଟି
ଭବ ରଙ୍ଗ ଭୂମି ତଳେ,
ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ
କାଳ ବଳେ, ତତ୍ତ୍ୱକୁ ଭୁଲେ ।
ପୁଂଜିବାଦୀ ସମାଜରେ ଅର୍ଥ ଠୁଳ କରିବା
ଏକମାତ୍ର ଲକ୍ଷ୍ୟ ରହେ
ସତ୍ ଅସତ୍ ଆଉ କିଛି ନାହିଁ,ମଣିଷ ତ
ମଣିଷପଣିଆକୁ ବଳି ପକାଇ ଦିଏ ।
ପୁଂଜିର ନିଶାରେ ଭୁଲିଯାଏ ମନୁଷ୍ୟର
ଏହି ଜୀବନ କ୍ଷଣ ସ୍ଥାୟୀ
କାମ କ୍ରୋଧ ଲୋଭ ମୋହ ଅହଂକାର
ଗୁଣର ସେ ବଶବର୍ତ୍ତୀ ହୋଇ ।
କିଛି ଅମଣିଷ ନିଜ କାମନା ଓ ଲାଳସାକୁ
ଚରିତାର୍ଥ କରିବାକୁ ଯାଇ
ପରିଣତି ଭୟାବହ କରନ୍ତି ନିଜର ନିହିତ
ସ୍ୱାର୍ଥକୁ ଜାରି ରଖିବା ପାଇଁ ।
ନୀତି ଆଦର୍ଶ ଓ ମର୍ଯ୍ୟାଦାର ଲକ୍ଷ୍ମଣ ରେଖା
ଭୁଲି ଯାଇ ବିପଥଗାମୀ ହୁଏ
ମାନସିକ ଦ୍ଵନ୍ଦ, ପରଶ୍ରୀକାତରତା, ଯୁଦ୍ଧର
ଅବସ୍ଥା ହିଂସା ଓ ଦ୍ଵେଷ ଭରି ଦିଏ ।
ସଦା ଭୋଗିବାକୁ ପଡ଼ିଥାଏ ଫଳ ସମାଜକୁ
ଅର୍ଥ ସର୍ବସ୍ୱ ବିଚାରର
ରହିଛି ବହୁତ ଉଦାହରଣ, ଖୋଜିଲେ ପୃଷ୍ଠା
ଇତିହାସ ଭିତର ।
ସବୁ ଅନ୍ୟାୟ ଅନାଚାର ଅତ୍ୟାଚାର
ଶୋଷଣର ସମାଧାନ ପାଇବାକୁ
ଯିବାକୁ ହୁଏ ସଦା ସର୍ବଦା ମଣିଷକୁ
ପ୍ରଥମେ ତୃଣମୂଳ ସ୍ତରକୁ ।
ସମାଜର ତୃଣମୂଳ ସ୍ତର ଅଟନ୍ତି ଶିଶୁମାନେ,
ସଦା ଦେଶର ଭବିଷ୍ୟତ
ବର୍ତ୍ତମାନ ମହତ୍ୱପୂର୍ଣ୍ଣ ବିଷୟ ଜାଣିବା ଶିଶୁ
ମାନଙ୍କୁ କିଭଳି ଶିକ୍ଷା ଦେବା ଉଚିତ ।
ସ୍ୱାଭାବିକ, ବାପା ମା, ଉଜ୍ଜ୍ୱଳ ଭବିଷ୍ୟତ
କାମନା କରନ୍ତି ନିଜ ସନ୍ତାନର
ଅଭିଭାବକଙ୍କ ମଧ୍ୟରେ ଅଛିକି ଶିକ୍ଷା ଦେଇ
ସୁନାଗରିକ କରି ଗଢି ତୋଳିବାର ।
ଉଦ୍ଦେଶ୍ୟ ରହେ ପରୀକ୍ଷାରେ ରଖୁ ପିଲା
ନବେ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର
ଭଲ ମଣିଷ ହେଉ, ଉଣା ରହୁଛି ନୈତିକତା
ଶିକ୍ଷା ଦେବାରେ ଆମର ।
ଭାବନା ରହୁଛି ପିଲାଟିଏ ପାଠ ପଢି ବଡ
ଚାକିରୀ କରିବ
ବିଦେଶରେ ରହିବ, ମେଞ୍ଚେ ମେଞ୍ଚେ ଟଙ୍କା
କମେଇ ବ୍ୟାଙ୍କ ବାଲାନ୍ସ ବଢ଼େଇବ ।
ସମାଜରେ ପିଲାଙ୍କ ଭବିଷ୍ୟତ ଗଠନରେ
କଳୁଷିତ ରାସ୍ତା ବନ୍ଦ ହୁଏନି
ଏମତି ଚିନ୍ତାଧାରାର ବଶବର୍ତ୍ତୀ ହୋଇ,
ସୁଚିନ୍ତନ ପ୍ରତି ଗୁରୁତ୍ୱ ଦିଆ ହୁଏନି ।
ପିଲା ବିଶୃଙ୍ଖଳିତ ହୋଇ କୁପଥଗାମୀ ହୁଏ
ଏହି ଅର୍ଥ ସର୍ବସ୍ୱ ତତ୍ତ୍ୱରେ
ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ମଧ୍ୟ ତାଙ୍କର
ସ୍ଖଳନ ଦେଖା ଦିଏ ଚରିତ୍ରରେ ।
ସମାଜକୁ ଶୃଙ୍ଖଳିତ କରିବା ପାଇଁ ଉତ୍ତମ
ମଣିଷର ରହିଛି ଆବଶ୍ୟକତା
ଚରିତ୍ର ଗଠନ ଶିକ୍ଷାରେ, ପରିକଳ୍ପନାରେ
ନରହି ପାଇବା ବାସ୍ତବିକତା ।
