STORYMIRROR

Narayan chandra Senapati

Abstract

3  

Narayan chandra Senapati

Abstract

ମୋ ମାଆ ପଣତ

ମୋ ମାଆ ପଣତ

1 min
12K

ମୋ ମାଆ ପଣତ ଶ୍ରୀମନ୍ଦିର ନେତ

ଉଡୁଥାଏ ଫରଫର

ସେ ନେତର ଛୁଆଁ ମୋ ଦେହେ ବାଜିଲେ

ସବୁ ଦୁଃଖ ହୁଏ ଦୂର।


ତା ପଣତ ବାସ୍ନା କି ମଧୁର ସତେ

ମନ ମୋ ହୁଏ ଆଶ୍ୱସ୍ତ

ଏ ଧରା ଧାମରେ ତା ପରି କେ ନାହିଁ

ମୋ ପାଇଁ ବଡ଼ ବିଶ୍ୱସ୍ତ।


ପିଲାବେଳେ ଖେଳେ ଯେବେ ହୁଏ କ୍ଳାନ୍ତ

ଧାଇଁ ଆସେ (ମୁଁ)ତାର ପାଶେ

ମୋ ମୁହଁ ଝାଳକୁ ଭାବେ ସେ ଚନ୍ଦନ

ଶରଧାରେ ବୋଳି ହସେ।


ଅନ୍ଧାର କି ଛାଇ ଯେବେ ଦେଖୁଥିଲି

ମନେ ଆସୁଥିଲା ଭୟ

ସେ ପଣତ ତଳେ ଲୁଚି ଲୁଚି ରହି

ଲୁଚାଉଥିଲି ମୋ ମୁହଁ।


ଯେବେ ଖୁଣ୍ଟୁଥିଲି ରକତ ଝରିଲେ

ଆଖିରୁ ଝରେ ତା ଲୁହ

ସେ ପଣତ କାନି ହୃଦୟ ଥରାଇ

ପୋଛୁଥିଲା ଲହୁ ଲୁହ।


ରୋଗ ହେଲେ ମୋ ମା' ପାଶେ କାନ୍ଦୁଥିଲା

ଆଉଁସୁଥିଲା ମୋ ଦେହ

ଜ୍ଜ୍ଵର ନ କମିଲେ ପଣତ କାନିରେ

ପୋଛୁଥିଲା ଦେହ ମୁହଁ।


(ମୋ)ନାକ ସିଂହାଣୀକୁ ପୋଛେ ସେ ପଣତ

ନ କରି ମନରେ ଘୃଣା

ଶୀତରେ କେବେ ବା ଘୋଡାଏ ମୋ ଦେହ

ନ ଥିଲା କିଛି ଅଜଣା।


ସ୍ନାନ ସାରି ଯେବେ ଆସେ ମୁଁ ଘରକୁ

ଓଦା ମୁଣ୍ଡ ପୋଛେ ସେ ତ

ତା ଖୁସିରେ ମଜ୍ଜି ମୋ ମାଆ ଓଠରୁ

ବାହାରୁଥାଏ ସଂଗୀତ।


ଖାଇ ସାରି ଯେବେ ମୋର ଓଦା ହାତ

ଛୁଏଁ ସେ ପଣତ କାନି

ସେ ସ୍ମୃତି ଟିକକ ହୃଦୟ ମନ୍ଦିରେ

ରଚେ ଅଭୁଲା କାହାଣୀ।


କେବେ ସାଜେ ଛତା କେବେ ସାଜେ ଶେଯ

କେବେ ନାଚେ ସେ ବିଞ୍ଚଣା

ବଡ଼ ହେଲେ ଯଦି ଭୁଲିଯାଏ ତାକୁ

ହରାଏ ନିଜ ଠିକଣା।


ସେ ପଣତେ ବନ୍ଧା ରଜ ଖିଲିପାନ

ପାଟିକୁ କରେ କି ନାଲି !

ସେ କାନି ଅଗର ଗଣ୍ଠି ବନ୍ଧା ଟଙ୍କା

ଘୁରାଏ ଯାତରା ଖାଲି ।


ଯେବେବା ଆଖିରେ ପୋକ,ଧୂଳି ପଡି ପାଉଥିଲେ ଟିକେ କଷ୍ଟ

ପଣତ କାନିର ଓଦା ଅଗ ଧାଇଁ

ଖୋଲି ମନ କରେ ତୁଷ୍ଟ।


ମା' ପଣତ କାନି ଅନ୍ଧର ଲଉଡ଼ି

ଦେଖାଏ ସହଜ ବାଟ

ଯେବେ ଧରି ଟାଣେ କିବା ମୁଁ ଓହଳେ

ସଭିଏଁ ଦେଖନ୍ତି (ଏ) ନାଟ।


ଦାମୀ ହେଉ ଅବା ନୂଆ ତାର କାନି

ଯେବେ ଦେଖେ କ୍ଷତ ପୋଡା 

ତା ଅଂଶକୁ ବାନ୍ଧି ଆଦରେ ସାଉଁଳେ

ଦିଏ ଶ୍ରଦ୍ଧା କାନମୋଡ଼ା।


ମୋ ମାଆ ପଣତ ମମତାର ଛାତ

ସ୍ନେହର ପ୍ରୀତି ଫରୁଆ

ଜନ୍ମ ଜନ୍ମାନ୍ତରେ କେବେ ଭୁଲିବିନି

ଲେଖିବି (ତା) କାହାଣୀ ନୂଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract