ମୋ ମା
ମୋ ମା
ଯାହାର ପଣତ ନୀଳଗିରି ନେତ ସେହି ପରା ମୋର ମା
ଯାହାର ଅଞ୍ଚଳ ନିରତ ଚଞ୍ଚଳ ହୋଇଥାଏ ସଦା ସାହା
ଯାହାର ପଣତ ନୀଳଗିରି ନେତ ସେହି ପରା ମୋର ମା ।।
ଯାହା ହାତବଢା ତୁଛା ଭାତଥାଳି ଅମୃତ ସମାନ ଲାଗେ
ମୋ ପାଇଁ ଜୀବନ କରେ ସମର୍ପଣ ସତେ କେଡ଼େ ଅନୁରାଗେ
ସେହି ସ୍ନେହମୟୀ ମମତା ମୟୀ ମୋ ଜୀବନେ ସକଳ ରାହା
ଯାହାର ପଣତ ନୀଳଗିରି ନେତ ସେହି ପରା ମୋର ମା ।।
ଯାହା ପାଦ ଧୂଳି ବଡ଼ଦାଣ୍ଡ ବାଲି ସେ ପଦ ସେବାରେ ନିତି
ଥାଉ ମୋର ମନ କଟିଯାଉ ଦିନ ଜୀବନେ ବିରାଜୁ ଶାନ୍ତି
ମୋ ପାଇଁ ଜୀବନ୍ତ ଦେବୀ ଜଗନ୍-ମାତ ଗଢିଛି ମୋହର କାୟା
ଯାହାର ପଣତ ନୀଳଗିରି ନେତ ସେହି ପରା ମୋର ମା ।।
ଯାହାର ଆଶିଷ ଅମୃତ ସଦୃଶ ମୃତ୍ୟୁ କୁ ବି ଜିଣିପାରେ
ଶରୀର କୁ ବଜ୍ର କରିପାରେ ସେହି ମା ର ଦୃଷ୍ଟିପାତରେ
ତା ଅମୃତ କୋଳ ଦିଏ ମୋତେ ବଳ ସେହି ମୋହର ଅଭୟା
ଯାହାର ପଣତ ନୀଳଗିରି ନେତ ସେହି ପରା ମୋ ମା ।।
ତାସମାନ କେହି ଏ ଧରାରେ ନାହିଁ ଅସାମାନ୍ୟ ସେ ଅନନ୍ୟ
ସେହି ଜନ୍ମଦାତ୍ରୀ ସେଇ ଜଗଧାତ୍ରୀ ତା ପାଇଁ ଏ ଜନ୍ମ ଧନ୍ୟ
ଯାହାର ପଣତ ନୀଳଗିରି ନେତ ସେହି ପରା ମୋ ମା
ଯାହାର ଅଞ୍ଚଳ ନିରତ ଚଞ୍ଚଳ ହୋଇଥାଏ ସଦା ସାହା ।।
