ମୋ ଜୀବନରଥ ଟାଣି ନେ ତୁ
ମୋ ଜୀବନରଥ ଟାଣି ନେ ତୁ
ନନ୍ଦିଘୋଷ ସିନା ଟାଣନ୍ତି ଭକତେ
ନର ଜନମରୁ ଉଦ୍ଧାର ପାଇଁ
ଆତ୍ମା-ନନ୍ଦିଘୋଘେ ତୁ ଜଗା ସାରଥୀ
ଜୀବନରଥକୁ ଟାଣିବା ପାଇଁ ।
ଘିରିଘିରି ସିନା ଗଡ଼େ ତୋର ରଥ
ଦେଖି ଭକ୍ତ ନେତ୍ର ପୂରି ଉଠଇ
ତୁ ଜୀବନରଥ ଟାଣୁଥିବା ବେଳେ
ପଥେ ଦୁଃଖ କଷ୍ଟ ଭେଟଇ ଦେହୀ ।
ତୋ ରଥଯାତରା କରେ ସିନା ତୋରା
ଜଗତଜନଙ୍କ ଚକ୍ଷୁଯୁଗଳ
ଜୀବନ ଯାତରା ଦେଖି ଦେଖି ଦେହୀ
ହସଲୁହେ ପରା କାଟଇ କାଳ ।
ଯିବା ଆସିବାରେ ତୋ ଯାତରା ଶେଷ
ଜୀବନର ରଥ ଅଣଲେଉଟା
ତୋ ରଥରୁ ସିନା ଭାଙ୍ଗେ ଖଣ୍ଡେ କାଠ
ଜୀବନରଥଟା ଭାଙ୍ଗି କି ଥୁଣ୍ଟା ।
ଭକତ ମନକୁ ତୋଷିଥାଉ ତୁହି
ତାଙ୍କ ଚର୍ମଚକ୍ଷୁ କରି ପାବନ
ତୁ ସାରଥୀ ବେଳେ ଉତ୍ତମ ବିଚାରେ
ରଖି ନ ପାରଇ କିଆଁ ତା' ମନ ?
ରଥଯାତ୍ରା ବେଳେ କମ୍ପୁଥାଏ ଦେହୀ
ଭାବଭକ୍ତିରସ ମୁଖରେ ବୋଳି
ତୁ ସାରଥୀ ବେଳେ ଈର୍ଷା ଲୋଭ ମୋହ
ପ୍ରତିକ୍ଷଣ କିଆଁ ଥାଏ ଶଙ୍ଖୋଳି ?
ଏତିକି ବିନତି ଶ୍ରୀପୟରେ ନିତି
ଭଲମନ୍ଦ ମୋତେ ସୂଚାଇ ଦେଇ
ସତ ପଥେ ଚାଳି ମୋକ୍ଷ ଦ୍ବାର ଯାଏ
ମୋ ଜୀବନରଥ ଟାଣି ନେ ତୁହି
ତୋତେ ଭାବେ ଶେଷ ଆଶ୍ରୟସ୍ଥଳ ।
