STORYMIRROR

Er Subhransu Kumar Behera

Classics Children

4  

Er Subhransu Kumar Behera

Classics Children

ମୋ ଗାଁ ଟା ବଦଳି ଗଲାଣି

ମୋ ଗାଁ ଟା ବଦଳି ଗଲାଣି

1 min
355

ବୈଶାଖ ମାସର ଖରା ବେଳଟାରେ

ଆମ୍ବ ତୋଟାରେ ଆସର ହେଉନି,

ଚିରା ଅଖା ଅବା ସିମେଣ୍ଟ ବସ୍ତାରେ

ତାସ୍ ପାଲିଟି ଜମାରୁ ପଡୁନି,

ବାଡି ଖୋବଡରେ ଅନିଶା କରିକି

ସେ ଆମ୍ବ ପରା ବେଳ ଗଲାଣି,

ମୋ ଗାଁ ଟା ବଦଳି ଗଲାଣି ।


ପଣସ ଲୁଚେଇ ବାଲିରେ ପଚେଇ

ଆଉ ସାଂଗ ସାଥି ମେଳ ଦିଶୁନି ,

ଜବତ ବାଦାମ, ଚଣା ଛୁଇଁ ଓପାଡିକି

ଧରି କେହି ଏକ ମୁହାଁ ହୋଇ ଧାଉଁନି,

କଞ୍ଚା ଆମ୍ବ ସଂଗେ ଲୁଣ ଲଙ୍କା ଚୁରା

ଖାଇବାର ବେଳ ଗଲାଣି,

ମୋ ଗାଁ ଟା ବଦଳି ଗଲାଣି ।


ଖରା ମାସଟାରେ କେତେ କେତେ ରାତି 

ନ ଥାଏ ବିଜୁଳି କଟିଛି ଲଣ୍ଠନ ବତୀରେ,

ଶଗଡ଼ ଦଣ୍ଡାରେ ଡିହା ଦିଆ ଖଟ ପୁଣି

ବାରଣ୍ଡାରେ ଗଡୁ ଥଣ୍ଡା ପବନ ଟିକକ ଆଶାରେ,

ଢାଉଁ ଢାଉଁ କରି ରାତି ଚାରିଟାରୁ 

ନଳକୂପର ବାଡିଆ ଗଲାଣି,

ମୋ ଗାଁ ଟା ବଦଳି ଗଲାଣି ।


ଦାଣ୍ଡକୁ ଝୁଲିକି ନୁଆଁଣିଆ ଚାଳ ଉପରେ

ପାଣି କଖାରୁଟି କାହିଁ ଦିଶୁନି ,

ସକାଳୁ ସକାଳୁ କାଉ ଆଉ ବଣି ରାବ

ଏକା ସାଙ୍ଗରେ କାହିଁକି ଶୁଭୁନି ,

ଘରଚଟିଆଙ୍କ ଚ୍ରିଂ ଚ୍ରିଂ ଧ୍ଵନି

ପ୍ରାୟେ କେବେଠୁ ନିପାତ ହେଲାଣି ,

ମୋ ଗାଁ ଟା ବଦଳି ଗଲାଣି ।


ଯେବେ ଗାଁ ପୁଅଟିଏ ବିଦେଶରୁ ଆସେ

ଭେଟେ ଭାଇ, ଦାଦା, ଖୁଡୀ ଦାଣ୍ଡରେ ,

ଦୁଇ ହାତ ଯୋଡ଼ି ପ୍ରଣାମ କରେ ସେ

ମୁଣ୍ଡକୁ ନୁଆଁଇ ... ଆହାଃ କି ପ୍ରସନ୍ନ ଚିତ୍ତରେ ,

ପ୍ରତ୍ୟୁତରରେ " କେଉଁଥିରେ କିରେ ଆସିଲୁ " ବା ...

ଏ ସରାଗ ପଦକ ଚାପି ହୋଇ ରହିଗଲାଣି ,

ମୋ ଗାଁ ଟା ବଦଳି ଗଲାଣି ।

   

                 

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics