ମୋ ବିଦ୍ୟାଳୟ
ମୋ ବିଦ୍ୟାଳୟ
ଖଣ୍ଡେ ଦୂରୁ ଦିଶୁ ଥାଏ ଝାପସା ପରାଏ
ନାରିକେଳ ବୃକ୍ଷ ମନ୍ଦେ କି ସୁନ୍ଦର କାୟ
ଏ ମୋ ବିଦ୍ୟାଳୟ
ଶିକ୍ଷା ଦାନେ ବ୍ରତୀ ଥାଏ ଆଲୋକ ବଳୟ।
ଟିକି ଟିକି କୁନା ମୁନା କେତେ ଯେ ଗଲେଣି
ହିସାବ ନିକାସ ପାଇଁ ମନ ନ ବଳେନି
ଏ ମୋ ବିଦ୍ୟାଳୟ
ବାଳୁତ ବେଳର ସାଥି ସଂସ୍କାର ଆଳୟ।
କେତେ କେତେ ଶିକ୍ଷା ଗୁରୁ ଗୁରୁମାଆ ଗଲେଣି
ଅନୁଷ୍ଠାନ କେବେ ଏଠୁ ନେବନି ମେଲାଣି
ଏ ମୋ ବିଦ୍ୟାଳୟ
ମଣିଷ ତିଆରି ପାଇଁ ଦେଇଛି ଆଶ୍ରୟ।
ଆଜି ଯିଏ ସାନ ଅଛି କାଲି ହେବ ବଡ଼
ଦେଶ ବିଦେଶରେ ଯାଇ ଜିଣିବ ସେ ଗଡ
ଏ ମୋ ବିଦ୍ୟାଳୟ
ପ୍ରଗତିର ବାର୍ତ୍ତା ବହ ଶାନ୍ତିର ନିଳୟ।
ସବୁଜିମା ବଣ ଭୂମି ସୁନୀଳ ଗଗନ
ପାହାଡି ଝରଣା ଜଳ ଛୁଇଁ ଯାଏମନ
ଏ ମୋ ବିଦ୍ୟାଳୟ
ପରିବେଶ ଶାନ୍ତ ଆହା ପ୍ରକୁତି ଆଳୟ।
ବିପଦରେ ଧୈର୍ଯ୍ୟ ଧରି ଚାଲିବା ଆଗକୁ
ଆତ୍ମ ବିଶ୍ୱାସରେ ରହି ଶିଖାଏ ଆମକୁ
ଏ ମୋ ବିଦ୍ୟାଳୟ
ପ୍ରବସାର ଶାନ୍ତି ଦୂତ ମନର ମଳୟ।
ଆମେ ସବୁ ବଢ଼ାଉଛୁ ତାର କଳେବର
ମାନବ ଶୃଙ୍ଖଳ ନାମେ ଦିଗ ଦିଗନ୍ତର
ଏ ମୋ ବିଦ୍ୟାଳୟ
ଜ୍ଞାନ ଗାରିମାରେ ପୂର୍ଣ୍ଣ ସାଧନାର ସ୍ଥଳ।
