ମୋ ଭାଷା ପ୍ରାଣ ସ୍ପନ୍ଦନ
ମୋ ଭାଷା ପ୍ରାଣ ସ୍ପନ୍ଦନ
ହୃଦୟକୁ ଛୁଏଁ ମୋ ଭାଷା ଓଡ଼ିଆ
ଗୋଲାକାର ତାର ଲିପି
ସ୍ନିଗ୍ଧ ସୁକୋମଳ କମଳ ପ୍ରଫୁଲ୍ଲ
ଲାଖିଯାଏ ଆଖି ଦେଖି ।
ନିରାଶ ଅନ୍ଧାରେ ମୋ ଓଡ଼ିଆ ଭାଷା
ପରାଣେ ଜଗାଏ ଆଶା
ଝରେ ସ୍ନେହ ପ୍ରେମ ମମତା ମଧୁର
ଶବ୍ଦେ ତା ପୀୟୂଷ ବର୍ଷା ।
ମୋ ମାଟି ମହକ ସୁନ୍ଦର ପ୍ରକୃତି
ଉଛୁଳେ ଭାବ ତରଙ୍ଗ
ଉର୍ବର ମୋ ମାଟି ଶସ୍ୟ ସୁଶ୍ୟାମଳ
ଉତ୍ପନ୍ନେ ସବୁଜ ସ୍ୱର୍ଣ୍ଣ ।
ପଞ୍ଚସଖା କବି ସାରଳା ଉପେନ୍ଦ୍ର
ମଧୁମୟ ଗୀତଛନ୍ଦ
ମୋହିନିଏ ମନ ନାଚ ଗୋଟିପୁଅ
ଓଡିଶୀ ଶାସ୍ତ୍ରୀୟ ଗାନ ।
ଓଡ଼ିଆ ଶିଳ୍ପୀର ନିହାଣ ମୂନରେ
ଶିଳା ପାଏ ଜୀବନ୍ୟାସ
ଉତ୍କର୍ଷ ଜୀବନ୍ତ ଚାରୁ ଚିତ୍ରକଳା
ସୁମଧୁର ତାର ସ୍ପର୍ଶ ।
ଓଡିଆଙ୍କ ଦିଅ କାଳିଆ ଠାକୁର
ନିଳାଚଳ ଶ୍ରୀମନ୍ଦିର
ଉଦ୍ଧାର କରନ୍ତି ପତିତଜନଙ୍କୁ
ସଭିଙ୍କର ଆପଣାର ।
ଓଡ଼ିଆ ପଖାଳ ସାହିତ୍ୟ ସ°ସ୍କୃତି
ଅନୁପମ ବରଦାନ
ନିମଜ୍ଜିତ ରକ୍ତେ ଅସ୍ଥିମଜ୍ଜା ମନେ
ମୋ ଭାଷା ପ୍ରାଣ ସ୍ପନ୍ଦନ ।
