ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ
ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ
ଲକ୍ଷେ ରେ ଗୋଟିଏ ମୋ ଭାଇଟି ପରା
ମୋ ଜୀବନ ଧାରେ ସୁନ୍ଦର ତାରା
ସିଏ ମୋ ଆଶାର ଅମୃତ ଭାବନା
ପ୍ରତିଟି ଛନ୍ଦେ ଯେ ସ୍ନେହରେ ଭରା ।
ମନ ବାରଣ୍ଡା ମୋ ହସେ ତାକୁ ନେଇ
ସବୁ ଦୁଃଖ ମୋର ଉଭେଇ ଯାଏ
ସୁପୁତ୍ର ଭଳି ସେ ମନ କଥା ବୁଝେ
ନ କହିଲେ ମଧ୍ୟ ସେ ଅନୁଭବେ ।
ଜୀବନ ବେଳାରେ କେତେ ଯେ ତରଙ୍ଗ
ପିଟି ହୋଇ କେତେ ଗାଥା ଲେଖନ୍ତି
ଭାଇ ଟି ମୋହର ବୁଝାମଣା ସେତୁ
କିଏ ବା ଭାଙ୍ଗିବ ସେ ଶ୍ରଦ୍ଧା ଭକ୍ତି ।
ତା ଜନମ ମୋର ଶ୍ରେଷ୍ଠ ଖୁସୀ ପରା
ପୂର୍ଣ୍ଣିତାର ଦିବ୍ୟ ଭାବରେ ଭରା
ରକ୍ଷା ବନ୍ଧନ ତ ଦିବ୍ୟ ପ୍ରେମମୟ
ଭାଇ ଭଗିନୀ ର ସୂତ୍ରର ଧାରା ।
ରାକ୍ଷୀ ନୁହେଁ ଖାଲି ରେଶମୀ ସୂତା ଟେ
ସେ ସୂତା କୁହଇ ସଂସ୍କୃତି ଗାଥା
ଭାଇ ଭଉଣୀର ସମ୍ପର୍କ ସେତୁରେ
ସେ ଅଟେ ଆମର ମନ ସଂହିତା ।
ଆମ ସଂସ୍କୃତିର କଳା ସାଆନ୍ତ ଯେ
ଭଗିନୀ ବନ୍ଧନେ ସଦା ବନ୍ଧିତ
ଭାଇ ଭଗିନୀର ଶୁଭ୍ର ମୟ ଭାବ
ତାଙ୍କ ସଂସ୍କୃତିର ପବିତ୍ର ସ୍ରୋତ ।
ମୋ ଭାଇ ମୋ ପାଇଁ ବିଶ୍ୱାସର ସେତୁ
ଆତ୍ମସନ୍ତୋଷର ପାଥେୟ ଟିଏ
ନିଆରା ତାହାର ହୃଦୟର ଭାବ
ସେ ଭାବ ମୁହଁରେ ଉକୁଟୁ ଥାଏ ।
ବିଧାତାର ଦାନ ପୁଣ୍ୟତୋୟା ଧାର
ଆମ ଏ ସଂପର୍କ ଚିର ଅମର
ବିଶ୍ୱାସ ସ୍ରୋତରେ ଭଟ୍ଟା ପଡ଼ି ବନି
ପ୍ରଭୁଙ୍କର ଦତ୍ତ ଏ ଉପହାର ।
ଭାଇ ମୋ ଅଟଇ ସ୍ଵଚ୍ଛ ସ୍ରୋତସ୍ୱିନୀ
ମୋ ଭାବର ଛବି ସଜଳ ଦିଶେ
ମନ ଗହନର ଅକୁହା କଥା ଯେ
ତରଙ୍ଗରେ ଭାସି ତା ମନେ ପଶେ ।
ତୋର ମୋର ଏଇ ସଂପର୍କ ସୂତ୍ର
ଅଛଣ୍ଡା ଅକ୍ଷୟ ପୂତ ପବିତ୍ର
ବଡ଼ ଭଉଣୀ ମୁଁ ତୋ ମାଆ ସମାନ
ବାନ୍ଧି ଦେବି ଆ ମମତା ସୂତ୍ର ।
ଆ ମୋ ଭାଇ ଚାହିଁ ବସିଛି ମୁଁ
ବାନ୍ଧିବି ତୋ ହାତେ ସ୍ନେହର ରାକ୍ଷୀ
କେବେ ଛିଡିବନି ଆମ ଏ ବନ୍ଧନ
ପ୍ରତି ବର୍ଷ ରାକ୍ଷୀ ରହୁଛି ସାକ୍ଷୀ ।
ତୁ ପରା ମୋହର ଆଶାର ଆଲୋକ
ଆଶିଷ ମୋହର ଦେଉ ସୁରକ୍ଷା
ରାକ୍ଷୀ ରେ ଭରୁଛି ଅସରା ପ୍ରେମ ଯେ ଜୀବନ ହେଉ ତୋ ବିପଦ ରକ୍ଷା ।
ପ୍ରତି ବରଷ ତ ଆସୁଛି ଏ ରାକ୍ଷୀ
ଏଇମିତି ଆସୁଥିବ ସଂସାରେ
ନଶ୍ଵର ଶରୀର ଥାଉ କି ନ ଥାଉ
ମନେ ପଡ଼ିଯିବ ରାକ୍ଷୀ ଦିନ ରେ ।
ଆ ମୋର ଭାଇ ଦୌତି ଆ ତୁ
ବାନ୍ଧି ଦେବି ହାତେ ସ୍ନେହର ରାକ୍ଷୀ
ଆମ ବନ୍ଧନର ପୂତ ପବିତ୍ରତା
ଏ ରାକ୍ଷୀ ହୋଇବ ଅସଲ ସାକ୍ଷୀ ।
ତୋ ହାତ ରାକ୍ଷୀର ପ୍ରଥମ ଗଣ୍ଠିରେ
ସ୍ନେହ ସୋହାଗ ମୁଁ ଭରି ଯେ ଦେବି
ଦ୍ଵିତୀୟ ଗଣ୍ଡିରେ ମମତାର ଧାରା
ହୃଦୟ କନ୍ଦରୁ ବୁହାଇ ଦେବି ।
ତୃତୀୟ ଗଣ୍ଠିରେ ଆଶିଷ ଢ଼ାଳିବି
ନିରାମୟତାର ସ୍ତୁତି କରିବି
ଚତୁର୍ଥ ଗଣ୍ଠିରେ ପ୍ରେମର ମହକ
ପଞ୍ଚମେ ଶାନ୍ତିର ବାରତା ଦେବି।
ଆ ମୋର ଭାଇ ଦଉଡ଼ି ଆ ତୁ
ତୋ ହାତେ ବାନ୍ଧିବି ଅଛିଣ୍ଡା ରାକ୍ଷୀ
ପ୍ରଭୁଙ୍କ ପଦରେ ଅର୍ପଣ କରିଛି
ଦେବେ ସିଏ ପରା କୃପା ବରଷି ।
ଅଛିଣ୍ଡା ଆମର ସଂପର୍କର ସୂତ୍ର
ନିବିଡ଼ ଆମର ସ୍ନେହ ବନ୍ଧନ
ଚିରଦିନ ରହୁ ଅକ୍ଷୟ ଅମର
ବୁଝାମଣା ସଦା ରହୁ ଅମ୍ଳାନ ।
ଆମ ସଂପର୍କ ତ ବିଧାନତାଙ୍କ ଦାନ
କିଏ ବା ତାହାକୁ ଛଣ୍ଡାଇ ଦେବ
ଆ ମୋର ଭାଇ ଦଉଡ଼ି ଆ ତୁ
ତୋ ବଡ଼ ଭଉଣୀ ରାକ୍ଷୀ ବାନ୍ଧିବ ।
