STORYMIRROR

Sarojini Mishra

Abstract

4  

Sarojini Mishra

Abstract

ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ

ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ

2 mins
357

ଲକ୍ଷେ ରେ ଗୋଟିଏ ମୋ ଭାଇଟି ପରା

ମୋ ଜୀବନ ଧାରେ ସୁନ୍ଦର ତାରା

ସିଏ ମୋ ଆଶାର ଅମୃତ ଭାବନା

ପ୍ରତିଟି ଛନ୍ଦେ ଯେ ସ୍ନେହରେ ଭରା ।

ମନ ବାରଣ୍ଡା ମୋ ହସେ ତାକୁ ନେଇ

ସବୁ ଦୁଃଖ ମୋର ଉଭେଇ ଯାଏ

ସୁପୁତ୍ର ଭଳି ସେ ମନ କଥା ବୁଝେ

ନ କହିଲେ ମଧ୍ୟ ସେ ଅନୁଭବେ ।

ଜୀବନ ବେଳାରେ କେତେ ଯେ ତରଙ୍ଗ

ପିଟି ହୋଇ କେତେ ଗାଥା ଲେଖନ୍ତି

ଭାଇ ଟି ମୋହର ବୁଝାମଣା ସେତୁ

କିଏ ବା ଭାଙ୍ଗିବ ସେ ଶ୍ରଦ୍ଧା ଭକ୍ତି ।

ତା ଜନମ ମୋର ଶ୍ରେଷ୍ଠ ଖୁସୀ ପରା

ପୂର୍ଣ୍ଣିତାର ଦିବ୍ୟ ଭାବରେ ଭରା

ରକ୍ଷା ବନ୍ଧନ ତ ଦିବ୍ୟ ପ୍ରେମମୟ

ଭାଇ ଭଗିନୀ ର ସୂତ୍ରର ଧାରା ।

ରାକ୍ଷୀ ନୁହେଁ ଖାଲି ରେଶମୀ ସୂତା ଟେ

ସେ ସୂତା କୁହଇ ସଂସ୍କୃତି ଗାଥା

ଭାଇ ଭଉଣୀର ସମ୍ପର୍କ ସେତୁରେ

ସେ ଅଟେ ଆମର ମନ ସଂହିତା ।

ଆମ ସଂସ୍କୃତିର କଳା ସାଆନ୍ତ ଯେ

ଭଗିନୀ ବନ୍ଧନେ ସଦା ବନ୍ଧିତ

ଭାଇ ଭଗିନୀର ଶୁଭ୍ର ମୟ ଭାବ

ତାଙ୍କ ସଂସ୍କୃତିର ପବିତ୍ର ସ୍ରୋତ ।

ମୋ ଭାଇ ମୋ ପାଇଁ ବିଶ୍ୱାସର ସେତୁ

ଆତ୍ମସନ୍ତୋଷର ପାଥେୟ ଟିଏ

ନିଆରା ତାହାର ହୃଦୟର ଭାବ

ସେ ଭାବ ମୁହଁରେ ଉକୁଟୁ ଥାଏ ।

ବିଧାତାର ଦାନ ପୁଣ୍ୟତୋୟା ଧାର

ଆମ ଏ ସଂପର୍କ ଚିର ଅମର

ବିଶ୍ୱାସ ସ୍ରୋତରେ ଭଟ୍ଟା ପଡ଼ି ବନି

ପ୍ରଭୁଙ୍କର ଦତ୍ତ ଏ ଉପହାର ।


ଭାଇ ମୋ ଅଟଇ ସ୍ଵଚ୍ଛ ସ୍ରୋତସ୍ୱିନୀ

ମୋ ଭାବର ଛବି ସଜଳ ଦିଶେ

ମନ ଗହନର ଅକୁହା କଥା ଯେ

ତରଙ୍ଗରେ ଭାସି ତା ମନେ ପଶେ ।

ତୋର ମୋର ଏଇ ସଂପର୍କ ସୂତ୍ର

ଅଛଣ୍ଡା ଅକ୍ଷୟ ପୂତ ପବିତ୍ର

ବଡ଼ ଭଉଣୀ ମୁଁ ତୋ ମାଆ ସମାନ

ବାନ୍ଧି ଦେବି ଆ ମମତା ସୂତ୍ର ।

ଆ ମୋ ଭାଇ ଚାହିଁ ବସିଛି ମୁଁ

ବାନ୍ଧିବି ତୋ ହାତେ ସ୍ନେହର ରାକ୍ଷୀ

କେବେ ଛିଡିବନି ଆମ ଏ ବନ୍ଧନ

ପ୍ରତି ବର୍ଷ ରାକ୍ଷୀ ରହୁଛି ସାକ୍ଷୀ ।

ତୁ ପରା ମୋହର ଆଶାର ଆଲୋକ

ଆଶିଷ ମୋହର ଦେଉ ସୁରକ୍ଷା

ରାକ୍ଷୀ ରେ ଭରୁଛି ଅସରା ପ୍ରେମ ଯେ ଜୀବନ ହେଉ ତୋ ବିପଦ ରକ୍ଷା ।

ପ୍ରତି ବରଷ ତ ଆସୁଛି ଏ ରାକ୍ଷୀ

ଏଇମିତି ଆସୁଥିବ ସଂସାରେ

ନଶ୍ଵର ଶରୀର ଥାଉ କି ନ ଥାଉ

ମନେ ପଡ଼ିଯିବ ରାକ୍ଷୀ ଦିନ ରେ ।

ଆ ମୋର ଭାଇ ଦୌତି ଆ ତୁ

ବାନ୍ଧି ଦେବି ହାତେ ସ୍ନେହର ରାକ୍ଷୀ

ଆମ ବନ୍ଧନର ପୂତ ପବିତ୍ରତା

ଏ ରାକ୍ଷୀ ହୋଇବ ଅସଲ ସାକ୍ଷୀ ।

ତୋ ହାତ ରାକ୍ଷୀର ପ୍ରଥମ ଗଣ୍ଠିରେ

ସ୍ନେହ ସୋହାଗ ମୁଁ ଭରି ଯେ ଦେବି

ଦ୍ଵିତୀୟ ଗଣ୍ଡିରେ ମମତାର ଧାରା

ହୃଦୟ କନ୍ଦରୁ ବୁହାଇ ଦେବି ।

ତୃତୀୟ ଗଣ୍ଠିରେ ଆଶିଷ ଢ଼ାଳିବି

ନିରାମୟତାର ସ୍ତୁତି କରିବି

ଚତୁର୍ଥ ଗଣ୍ଠିରେ ପ୍ରେମର ମହକ

ପଞ୍ଚମେ ଶାନ୍ତିର ବାରତା ଦେବି।

ଆ ମୋର ଭାଇ ଦଉଡ଼ି ଆ ତୁ

ତୋ ହାତେ ବାନ୍ଧିବି ଅଛିଣ୍ଡା ରାକ୍ଷୀ

ପ୍ରଭୁଙ୍କ ପଦରେ ଅର୍ପଣ କରିଛି

ଦେବେ ସିଏ ପରା କୃପା ବରଷି ।

ଅଛିଣ୍ଡା ଆମର ସଂପର୍କର ସୂତ୍ର

ନିବିଡ଼ ଆମର ସ୍ନେହ ବନ୍ଧନ

ଚିରଦିନ ରହୁ ଅକ୍ଷୟ ଅମର

ବୁଝାମଣା ସଦା ରହୁ ଅମ୍ଳାନ ।

ଆମ ସଂପର୍କ ତ ବିଧାନତାଙ୍କ ଦାନ

କିଏ ବା ତାହାକୁ ଛଣ୍ଡାଇ ଦେବ

ଆ ମୋର ଭାଇ ଦଉଡ଼ି ଆ ତୁ

ତୋ ବଡ଼ ଭଉଣୀ ରାକ୍ଷୀ ବାନ୍ଧିବ ।


Rate this content
Log in

Similar oriya poem from Abstract