ମଞ୍ଜୁଳା ଚଉତିଶା
ମଞ୍ଜୁଳା ଚଉତିଶା
ମଞ୍ଜୁଳା ଚଉତିଶା
ରାଗ ବସନ୍ତ
କବିସୂର୍ଯ୍ୟ ବଳଦେବ ରଥ
କିଶୋରୀବରଙ୍କ ବଦନ ନିରଙ୍କ ଚନ୍ଦ୍ରରେ ଗୁମାନ ଦେଖି ରେ
କଳାପୀ କଳପ କିରୀଟ ମଣ୍ଡନ କହନ୍ତି ଆଜନ୍ମସୁଖୀ ରେ
ମଞ୍ଜୁଳା, କିଛି ଦୋଷ ନାହିଁ ମୋର ରେ
କାହିଁକି ଶୁଖିଲା ଛବିକି ଶିଖିଲା ତୋ ଶ୍ରୀମୁଖ କଳାକର ରେ (1)
ଖଟିଅଛି ନିତି ଖଟର ପଞ୍ଚମ ଖୁରା ପରି ଜଗିବସି ରେ
ଖସି ପଡୁଥିବା ନିତମ୍ବ ଅମ୍ବର ଖଞ୍ଜୁ ଅଛି ପ୍ରତିନିଶୀ ରେ
ମଞ୍ଜୁଳା, ଖେଳା ଖଞ୍ଜରୀଟଦୃଶା ରେ
ଖଳଜନ ଖଚ ବଚନକୁ ସତ୍ୟ ମଣି ଆଚରି କିଦୃଶାରେ (2)
ଗଣ୍ଠି ନିଶା ଗର୍ଭ ଗରବ ଗଞ୍ଜନ ଗଭର ବିଗ୍ରହ ବତୀ ରେ
ଗଣ୍ଠି ଗୁପ୍ତ ଧନ କଣ୍ଠୀରବମଧ୍ୟମଧ୍ୟା ତୁ ମୋର ସୁଦତୀ ରେ
ମଞ୍ଜୁଳା, ଗିରୀଶ ସପତ୍ନ ଶର ରେ
ଗୁନ୍ଥାଇ ନ ଦିଅ ଗୁଣ ରୂପ ରସସିନ୍ଧୁ ମୋ ବନ୍ଧୁ ରୋଷରେ ରେ (3)
ଘଡିଏ ଅନ୍ତର ନୋହିବାର ତୋର ଛାମୁଗୁ ଚିତ୍ତେ ନାହିଁକି ରେ
ଘୋଷା ଘୋଷା କର ଯୋଷାମାନଙ୍କର ଭୂଷାକରିଛୁ କାହିଁକି ରେ
ମଞ୍ଜୁଳା, ଘେନିଲେ ହେଲାନି ଯୁଗରେ
ଘନଜଘନା ତୋ ମୁଖଚନ୍ଦ୍ରେ ଦେଖି ସ୍ମିତକ୍ରୀଡା ବିପ୍ର ଯୋଗ ରେ (4)
ନଖରାଜି ମାଜି ନବୀନ ନଳୀନ ବିକାଶ ଚରଣ ତୋର ରେ
ନିନ୍ଦ୍ୟ ନୋହିବାର ଅଲକତ ସାର ବୋଳି ବଡପଣ ମୋର ରେ
ମଞ୍ଜୁଳା, ନଥିଲେ ତୋ ନଭ କରିରେ
ନ ଲୋଡେଁ ମୁଁ ମୋର ଭାଗ୍ୟ ବଡି ଚଢିବାର ଚତୁର୍ଦ୍ଦନ୍ତ କରି ରେ (5)
ଚନ୍ଦ୍ରିକା ତୁ ଚିର ତୃଷିତ ଚକୋର ଚଞ୍ଚୁପୁଟ ମୋ ଲପନ ରେ
ତୁମ୍ଭେ ଚମତ୍କାର ରବ ନ କରଇ ସବ୍ରୀଡ ଜାଣି ତୋ ମନରେ
ମଞ୍ଜୁଳା, ଚିହିଙ୍କିବୁ ବୋଲି ଡରେ ରେ
ଚେତି ପହୁଡିବା ବେଳେ ଏକା ନଖ ଶିଖର ଚାଳନ କରେ ରେ (6)
ଛ, ନବ ବୟସୀ ଛଣାମୃତ ଭାଷୀ ଛୁଆ ମଦଗଜ ଗତି ରେ
ଛତି ଟେକାଇ ମୁଁ ତୋର ଭୃତ୍ୟ ବୋଲି ପ୍ରସରୁଅଛି ଜଗତୀରେ
ମଞ୍ଜୁଳା, ଛେଦନା ଉନ୍ନତି ମୋର ରେ
ଛେଚି ହେବି ଛେଲ ମାରିହେବି ଅବା ସିନା ଶ୍ରୀଛାମୁରେ ତୋର ରେ (7)
ଯେବେ ଶମ୍ବରାରି ଜମ୍ବୁନଦ ଜରିତମ୍ବୁ ବରୋରୁହା ସ୍ତନାରେ
ଜାଣିଥିବି ଜମ୍ଭାରାତି ଭଗ୍ୟରମ୍ଭା ତୁଲ୍ୟ ନାରୀ ଉପାସନା ରେ
ମଞ୍ଜୁଳା, ଯାହା ତୁ ଫରମାସିବୁ ରେ
ଯବାବ ନଦେଇ ଯୋଡକର ହୋଇ ସେ ଦଣ୍ଡ ସହିବି ସବୁ ରେ (8)
ଝଳି ଝଲମଲ ଝଟକ ହାଟକ ନ ସଞ୍ଚ କେଉଁ ଦୁର୍ମତି ରେ
ଝପାଇ ମନକୁ ଲୋଭରେ ମୋହରେ ବଳାଏ ବଳାଏ ତତିରେ
ମଞ୍ଜୁଳା, ଝୁଣ୍ଟି ମରିବ କେ ଘେନ ରେ
ଝୁମ୍ପା ଝାଲରିଆ ଅମ୍ଭାରିରୁ ଖସି ଝଗଡି ଝଗଡା ବନରେ (9)
ନନ୍ଦନ ବନ ତୁନ୍ଦ ହରିଚନ୍ଦନ ତରୁ ତଳ ବାସ ଥିବ ରେ
ନିର୍ଗନ୍ଧନ ନକୁ ପଚାରୁଛି କେଉଁ ଜୀବ ରେ
ମଞ୍ଜୁଳା, ନିର୍ଝର ନଦୀ ତେଜିବରେ
ନୀଚ ପଶୁଜନ ସ୍ନାନ ପାନ ମ୍ଳାନ ଜଳ ଗର୍ଭକୁ କେ ଯିବ ରେ (10)
ଟିକିଏ ଦୁର୍ଘଟ ନୋହି ସୁଧାଘଟ ଥିବ ଯା ରସନା ପାଶରେ
ଚାକର ନଫରମାସିବ ସେ ନିକି କରା କିରାତ ନିର୍ଯାସ ରେ
ମଞ୍ଜୁଳା, ଟୋକିଟା କେ ଟାକି ଥିଲା ରେ
ଟେକାଟେକିକରି ଛାମୁରେ କିସଟି ଟୁପୁ କରି ଟିପି ଦେଲା ରେ (11)
ଠାକୁରଙ୍କୁ ସାକ୍ଷୀକରି ଖଞ୍ଜନାକ୍ଷି ଯଥାର୍ଥ ଜଣାଉ ଅଛି ରେ
ଠକ ଆଚରଣ ମୋର ତୋ ଚରଣ ସେବାରେ ନାହିଁଟି କିଛି ରେ
ମଞ୍ଜୁଳା, ଠୋ କରି ଜଣାଇ ଦେ ନା ରେ
ଠଅକ୍ଷରପରି ଜଗତୀ ରେ ଫେରିବାର ଦୟାଳୁତା ବାନା ରେ (12)
ଡିହାପଣ ପଲେ ହେଲେ ମୁଁ ରୋଷକୁ କ୍ଷମା ଗୁଣେ କରି ମନା ରେ
ଡିମ୍ବ କୁରଙ୍ଗ- ନୟନ- ଜିଣା ନେତ୍ର ଅଞ୍ଚଳରେ ଥରେ ଅନା ରେ
ମଞ୍ଜୁଳା, ଡାକ ମୋତେ ପର୍ଯ୍ୟଙ୍କକୁ ରେ
ଡେଇଁ ପଡିବିଟି ତୋ ଅଙ୍ଗେ ଅର୍ଯ୍ୟମା ଜେମା ଜୀବନ ଅଙ୍କକୁ ରେ (13)
ଢାଳ ମୋରେ ଅନୁକମ୍ପା ଚମ୍ପା ଶମ୍ପା ସମ୍ପତି – କମ୍ପଦ ମୂର୍ତ୍ତି ରେ
ଢୋକାଇ ଅଧରୁ ଢୋକେ ସୁଧାଧାରା ଧବଳିତ କର କୀର୍ତ୍ତିରେ
ମଞ୍ଜୁଳା, ଢଳୁଛି ମୋ ମୋଦ ଶାଖୀ ରେ
ଢାଳେ ଧୃତଜଳ ପିଆଇ ତା ମୂଳ ଦ୍ରଢିମାକୁ ଦିଅ ରଖି ରେ (14)
ଅମ୍ବୁଦ ଅଭିନବ ଦଳ ତମାଳତରୁ ଅତସୀ ଅଞ୍ଜନ ରେ
ଏତାମଦ ନୀଳଚେଳ ଏତେ ଦ୍ରବ୍ୟେ ମୋ ସ୍ମେହୁ ରସେ ତୋ ମନ ରେ
ମଞ୍ଜୁଳ, ଆପେ ମୁଁ ହାଜର ଅଛିରେ
ଅତି କରୁଣାଦ୍ର ମନୁ ଟି ତ ତୋର ଅନୁକମ୍ପୁ ନାହିଁ କିଛି ରେ (15)
ତରୁଣୀ ତିଳକୀକୃତ ରାମରସ ଚରଣ ପରାଗ ବଳି ରେ
ତପନ ତନୟା ତଟିନୀ ତଟକୁ ତୋଷରଚି ରାସ କେଳି ରେ
ମଞ୍ଜୁଳା, ତଳକୁ ନକର ମୁଖରେ
ତାଳକୁତୁକ ପୂରଣ୍ଣସ୍ତନା ଗୁମାନେ କାଳକୁ କଥା ରଖ ରେ (16)
ଥରେ ତୋ ଶ୍ରୀମୁଖ ତୁଷାର ମୟୂଖ ଶୁଖିଲା ଦେଖିଲା ନାହିଁ ରେ
ଥରେ ଏହି ଭୟବଶୁଁ ମୋ ହୃଦୟ ଅପୁର୍ବ ସୁଷମା ଚାହିଁ ରେ
ମଞ୍ଜୁଳା, ଥାପି ହେଉ କ୍ରୋଧଭର ରେ
ଥାଳ ତୁ ମୁଁ ଯୋଗୀ ହେଲେ ବିପ୍ର ଯୋଗୀ ସିନା ତୋତେ ଅସୁନ୍ଦର ରେ (17)
ଦୟା - ଦରିଦ୍ର ସେ ଦୁରନ୍ତ ଦଇବ ଦେଉଛି ମୋତେ ଏ ଦଣ୍ଡ ରେ
ଦଳି ପକାଉଛି ଦାରୁଣ ନାରାଚ ଦମ୍ଭ ଦମ୍ଭୋଳି ମୋ ପିଣ୍ଡରେ
ମଞ୍ଜୁଳା, ଦେଲେ ହେଲେ ତୁ ଘଉଡି ରେ
ଦୁଃଖିଧନ, ତୋର କରି କି ଦୂର କୁଞ୍ଜ ମନ୍ଦିର ଦେହୁଡି ରେ (18)
ଧୀରା ଯୁବତୀ ଙ୍କ ହୀରା ରଖ କ୍ଷିତି ଚିରା ମାଗୁଛି ଏତକ ରେ
ଧନ, ମୁଁ ମୀନଦୀବନ ତୁ ନବୀନ ଘନ ତ ମୁଁ ଯେ ଚାତକ ରେ
ମଞ୍ଜୁଳା, ଧ୍ୱଂସ କରିବ ମୋ ଓଜ ରେ
ଧଗଦ୍ଧଗଦ୍ଧାଟି ହେଉଛି ଧୂର୍ଜଟି ରିପୁ ଧୁର୍ଜ ଧୂମଧ୍ୱଜ ରେ (19)
ନିପଟ ନିସର୍ଗ ହୃଦୟ ଯେ ଭର୍ଗ ପରିପନ୍ଥି ପ୍ରେତବର ରେ
ନ ଦଣ୍ଡ୍ୟ ଅପରଚଣ୍ଡ କରେ ଆପେ ଦଣ୍ଡକରେ ସାଧ୍ୟକର ରେ
ମଞ୍ଜୁଳା, ନିଶ୍ଚିତ ହେଲେ ମୋ ଦୋଷ ରେ
ନଖର ପ୍ରଖର ପ୍ରାନ୍ତର କୁନ୍ତରେ ମୋତେ ଭୂମି ଭୂଷା ଭୂଷ ରେ (20)
ପକାଇ ଉଭାନ କରି ତଳେ ମୋତେ ପଥର ନଦିଲା ପରି ରେ
ପୀନ ପୟୋଧର ପରବତ ମୋର ଉରେ ଲଦିଦିଅ ଚୂରି ରେ
ମଞ୍ଜୁଳା, ପୀଡି ଦନ୍ତେ ଦନ୍ତାମ୍ବର ରେ
ପୂତନାର ସୁଚୁ ଚୁକ ଦ୍ୱାରେ ପୂରି ପିଇଦିଅ ପ୍ରାଣ ମୋର ରେ (21)
ଫାଟିଯିବା ଭଳି ମୋ ବାହା ଯୁଗଳ ଭିଡି ବନ୍ଧୁ କୁନ୍ଦହାସୀ ରେ
ଫିଟାଇ ଦେବାକୁ ହୁକୁମ ନ ଥାଇ ବାନ୍ଧିବାକୁ ଦୃଢପାଶି ରେ
ମଞ୍ଜୁଳା, ଫରମାସିବୁ ତୁ ଯାହା ରେ
ଫନ୍ଦା କରି ତାକୁ ଫୁଲପରି ଶିରେ ବହି ସହିବି ସୁ ସ୍ନେହା ରେ (22)
ବିଶ୍ୱାସ ଉଚିତ ନଉକରି ଚିତ୍ତ ଦୂର ହେଲେ କରି ଦୂର ରେ
ବସନ ଫିଟାଇ ବନ୍ଧନ ଫିଟାଇବାର ବୋଲି ଅସୁନ୍ଦର ରେ
ମଞ୍ଜୁଳ, ବିଚାରିବୁ ନାହିଁ ମନେ ରେ
ବରଜି କରୁଣା ଏଥୁ ବଡଦଣ୍ଡ ଦେଉଅଛୁ ଦିନେ ଦିନେ ରେ (23)
ଭୃତ କଲେ ଦୋଷ ପ୍ରଭୁ ବହି ରୋଷ ନଦଣ୍ଡିଲେ କେ ଦଣ୍ଡଇ ରେ
ଭରଜି ଦାସର ଦାସ୍ୱରେ ବିଶ୍ୱାସ ନ ମଣ୍ଡିଲେ କେ ମଣ୍ଡଇ ରେ
ମଞ୍ଜୁଳା, ଭର୍ତ୍ତାକୁ ଯେ ଟି ଭଣ୍ଡଇ ରେ
ଭରଣ ନକରି ପ୍ରଭୁ ତାର ଅଙ୍ଗ ନ ଖଣ୍ଡିଲେ କେଖଣ୍ଡଇ ରେ (24)
ମୋହିଲା ପଦାର୍ଥ ତୁ ସିନା କିଶୋରୀ ମହୀ ଲାୟକ ଯେ ନୋହୁ ରେ
ମହୀ ଲାଘବୁଁ ମୁକ୍ତ ହେଲା ବହିଲା ଏ ବିଧି ଏତିକି ରହୁ ରେ
ମଞ୍ଜୁଳା, ମଦାଳସା ବ୍ରଜ ରାଜରେ
ମଲ୍ଲୀଦଳ କୃତ ବହଳ ବିଛଣା ମଧ୍ୟରେ ଥରେ ବିରାଜ ରେ (25)
ଯମସ୍ୱସାଜଳେ ଯୁବତୀଙ୍କ ମେଳେ କରୁଥିଲୁ ଅବଗାହ ରେ
ଯାଦୁପରି ଦୂରୁଁ ବୁଡିଆସି ଭିଡି ଢୋକିଲି ପଦାମ୍ବାରୁହ ରେ
ମଞ୍ଜୁଳା, ଯଥୋଚିତେ ଚାଳି ନଖରେ
ଯତ୍ନେ ନଟବେଶ ଦେଖାଦେଲି ହାସେ ସଖୀମାନେ ଥିବା ସୁଖ ରେ (26)
ରମଣୀୟ - ଶୀଳ ରମଣୀ ମଣ୍ଡଳ ରମଣୀ ତୁ ତ ବିଦୁଷୀ ରେ
ରଖି ମନେ ଏହି କଥାକୁ କି ମଥା ନୁଆଇଁ ବସନ୍ତୁ ରୁଷି ରେ
ମଞ୍ଜୁଳା, ରହସ୍ୟ ଲୋକାନ୍ତ ଭେଦରେ
ରମ୍ୟଗୁଣ ତୋର ରଖଇ କି ପଛେ ଜନ୍ମଇ ସିନା ନିର୍ବେଦ ରେ (27)
ଲଦିଛି ମଙ୍ଗଳାଙ୍କୁ ମୁଁ ଏକ ଉଣା ଲକ୍ଷେ ମନ୍ଦାର ମୁକୁଳ ରେ
ଲଗଡ ବିଚାର ଏକ ନଉକରି ସ୍ୱଗୋତ୍ରେ କରି ମୁଁ କୁଳରେ
ମଞ୍ଜୁଳା, ଲଗାଇଲେ ପ୍ରେମଧାରାରେ
ଲଳନାମଣି ରେ ନ ପାଳିବାକୁ ସେ ଆଜ୍ଞାକୁ କାହାର ଚାରା ରେ (28)
ବିଶ୍ୱବିଶ୍ୱମ୍ଭରା ଧୂଳି ପରମ୍ପରା ଲେଖିବାକୁ ବିଦ୍ୟା ଥିବ ରେ
ବିଶ୍ୱାସୀ ଚାକର ଦୋଷର ଆକର ତା ଦୋଷ ଗଣା ନ ଯିବ ରେ
ମଞ୍ଜୁଳା, ବିବେକୀ ପ୍ରଭୁ ତୋ ପରି ରେ
ବଞ୍ଚାଇ ନେଉଥାଏ କ୍ଷମାଗୁଣରୁ ଗର୍ହିତ ଭାବ ନ ଧରି ରେ (29)
ଶେଫାଳିକା ବାସ ଭାରବୁହାଳସ ପ୍ରସରଣୁ ହୋଇ ଚାରୁ ରେ
ଶଚପତ୍ର ବନବିଳାସୀ ପବନ ବହିଲାଣି ଜମୁନାରୁ ରେ
ମଞ୍ଜୁଳା, ଶିଶିର ହେଲା ନୀହାର ରେ
ଶୀତଳ ନୋହିଲା ଏତେ ବିନୟେ ତୋ ଚିତ୍ତ ଏ କି ଚମତ୍କାର ରେ (30)
ଷଢାନଳ ପିତା ପ୍ରାସାଦ ମାନଙ୍କେ ବିକଶୁଛି ଶଙ୍ଖ ନାଦ ରେ
ଷଢଘ୍ରିଂମାନେ କୁସୁମକଳି ଚୁମ୍ବି ତା ‘ ତୁଲେ କଲେଣି ବାଦ ରେ
ମଞ୍ଜୁଳା , ଷଡୁପାୟ ଶେଷ ହେଲାରେ
ଷୋଡଷୁଁ ନ୍ୟୂନ ବୟସୀ ଅକାରଣେ ତୋ ରୋଷ ଶେଷ ନୋହିଲା ରେ (31)
ସହି ବାରକ ମୋ ଅପରାଧ ଏବେ କହିବାର କଥା ଘେନ ରେ
ସଙ୍ଖାଳି ସରସ ନେତ୍ରାନ୍ତେ ମୋହର ସମ୍ଭାଳି ରଖ ଜୀବନ ରେ
ମଞ୍ଜୁଳା, ସରିଲିଟି ଚାହୁଁ ଚାହୁଁ ରେ
ସୁଧା ସାର ସାର ସଦ୍0ଶ ବଚନେ ଥରେ ଆହା ବୋଲୁ ନାହୁଁ ରେ (32)
ହିମ ହରିତାଳ ତାଳ ସୁବର୍ତ୍ତୁଳ ସ୍ତନ ଲଗାଇ ମୋ ଛାତି ରେ
ହର - ପରିପନ୍ଥୀଶର ଜ୍ୱର ମନ୍ଥି ପକାଅ ମନ୍ଥର ଗତି ରେ
ମଞ୍ଜୁଳା, ହାର ଏକା ସବୁ ମୋର ରେ
ହେଳା ଏଣିକି ମୁଁ ଯେବେ ଆଚରିବି ହଣାଇ ଦିଅ ମୋ ଶିରରେ (33)
କ୍ଷଣଦା - ମୟୂଖମଖୀ ଶ୍ୟାମମୁଖ ବାଣୀ ଶୁଣି ହୋଇ ସୁଖି ରେ
କ୍ଷୀରବିନ୍ଦୁ କୁନ୍ଦଅବଦାତ ମନ୍ଦ ସ୍ମିତ ରତାମ୍ବରେ ରଖି ରେ
ମଞ୍ଜୁଳା, କ୍ଷିତି ପ୍ରସାଦେ ମଣ୍ଡିଲେ ରେ
କ୍ଷମା ସଂକ୍ରନ୍ଦନ ଶ୍ରୀହରୀଟନ୍ଦନ ଜଗଦ୍ଦେବ ବିଚରିଲେ ରେ (34)