ମନର ମଣିଷ
ମନର ମଣିଷ
ମନର ମଣିଷ ମିଳିଗଲେ ପରା
ହାତେ ପାରିଜାତ ମିଳିଥାଏ,
ହଜିଲା ସ୍ମୃତିକୁ ସାଉଁଟୁ ସାଉଁଟୁ
ସହଜେ ସମୟ ସରିଥାଏ l
ମନର ମଣିଷ ହାତେ ଧରା ଦେଇ
ଯଦି ହୃଦୟରୁ ତାକୁ ଭଲ ପାଏ,
ଦୁନିଆର ଯେତେ ସୁଖ ଦୁଃଖ ବାର୍ତ୍ତା
ଆପେ ଆପେ କହି ହୋଇଯାଏ l
ନିବିଡ଼ତା ଆସେ ସମ୍ପର୍କ ମଧ୍ୟରେ
ଯେବେ ମିଳେ ମନ ଲାଖି ସାଥି,
ଦୁଇ ହୃଦୟଟା ଏକାଠି ହୁଅନ୍ତି
ବିତାନ୍ତି ସୁଦୀର୍ଘ ରାତି l
ମନର ମଣିଷ ମିଳିଗଲେ ପୁଣି
କଣ୍ଟକିତ ପଥ ହୁଏ ଫୁଲ,
ଦୁହିଁଙ୍କର ସ୍ନେହ ଅପାସୋରା ହୁଏ
କିଏ ଦେବ ତାର ମୂଲ l
ଅନ୍ଧାରୀ ରାତିଟା ଲାଗେ ଜହ୍ନ ରାତି
ଯେବେ ଥାଏ ପାଶେ ତାର ପ୍ରିୟ,
ଗଭୀର ସାଗର ପାରି ହେବା ପାଇଁ
ନଥାଏ ଟିକିଏ ତାର ଭୟ l
ଆଖି କୋଣେ ଯଦି ଜକେଇ ଆସେ
ଅସରା ଅସରା ଲୁହ,
ମନର ମଣିଷ ପରଶ ମିଳିଲେ
ଦୂର ହୋଇଯାଏ ସବୁ କୋହ l
ମନର ମଣିଷ ମିଳି ଗଲେ ପୁଣି
ହୃଦୟ ବଖାଣେ ଅକୁହା କଥା,
ନିରବ ମନଟା ଉଜ୍ଜୀବିତ ହୁଏ
କଟି ଥାଏ ତାର ସବୁ ବ୍ୟଥା l
ଏ ମାୟା ସଂସାରେ ବଞ୍ଚିବାକୁ ଟିକେ
ସାହାରା ଦିଅଇ ଯିଏ,
ସାରା ହୃଦୟକୁ ଜିତି ଯାଇ ସେତ
ମନର ମଣିଷ ହୁଏ l