ମଣୁଛି ନିଜକୁ ଧନ୍ଯ
ମଣୁଛି ନିଜକୁ ଧନ୍ଯ
ରକ୍ଷାବନ୍ଧନର ଦିନ ମୋ
ପାଇଁ ସ୍ମରଣୀୟ
ରଖିଥାଏ ମୋ ଜୀବନେ
ବହୁମୂଲ୍ୟ ଅତୁଲ୍ଯ ମହତ୍ତ୍ବ,
ସାଗ୍ରହେ ଚାତକ ପରି ବସି
ରହିଥାଏ ଚାହିଁ
କେବେ ତିଥି ପୂର୍ଣ୍ଣମୀରେ ଉଭାହେବ
ସେ ଶୁଭ ମୂହୁର୍ତ୍ତ ।
ଶୁଣିଦେଲେ ଭାଇ ଡାକ
ଫେରିପାଏ ମୁଁ ସମ୍ବିତ
ଧାଇଁଯାଇ ବସିପଡେ ଉଚ୍ଚପିଢା
ଅବା ଚକାସନେ ,
ଗେହ୍ଲେଇ ଭଉଣୀ ମୋର
ସରାଗରେ ବାନ୍ଧିଦିଏ
ଝଲମଲ ଦିଶୁଥିବା ସ୍ନେହଡୋରୀ
ରାକ୍ଷୀକୁ ସଯତ୍ନେ ।
ଆଙ୍କିଦିଏ ଭାଲେ ଚିତା ବିଜୟ
ତିଳକ ଟୀକା
ପିନ୍ଧାଏ ପୁଷ୍ପର ହାର ରଙ୍ଗ
ଭରେ ଚନ୍ଦନ କୁଙ୍କୁମେ ,
ଝରାଇ ଅଧରେ ହସ
ଖୋଇଦିଏ ମିଠାପିଠା
ବନ୍ଦାଣ କରେ ଅକ୍ଷତ ଦୁର୍ବାଦଳ
ପ୍ରଦୀପ କୁସୁମେ ।
ସମର୍ପିତ ମୋ ଜୀବନ
ମଣୁଛି ନିଜକୁ ଧନ୍ଯ
ଭଉଣୀ ମୋ ପୌର୍ଣ୍ଣମାସୀ
ଉଜ୍ଜ୍ବଳୁ ତା ସୁନ୍ଦର ଭବିଷ୍ୟ ,
ଗଢୁ ସେ ସୁଖୀ ସଂସାର
ପ୍ରୟାସେ ମୁଁ ନିରନ୍ତର
ସୁରକ୍ଷା ତା ଧର୍ମମୋର ପାଳିବି
କର୍ତ୍ତବ୍ଯ ନିଶ୍ଚେ ନେଉଛି ଶପଥ ।
