ମଣିଷର ମୃଗତୃଷ୍ଣା --
ମଣିଷର ମୃଗତୃଷ୍ଣା --
ସ୍ୱପ୍ନର ତାଜମହଲ ଗଢ଼ି
ତୋଳିବାର କାମନା
ମୃଗ ତୃଷ୍ଣାର ଭ୍ରମ ପରି
ମଣିଷର ଆଶା ସିନା |୧|
ବେଳେ ବେଳେ ଆମକୁ କିଛି
ସଫଳତା ଆଣିଦିଏ
ସବୁ କାମନା ସତରେ କଅଣ
ପୂରଣ ହୋଇଥାଏ ? |୨|
କରମ କରିଲେ କାମନାରେ
ମଜ୍ଜି, ଭୁଲି ହିତାହିତ
କରି ପାରେ କି ସିଏ ନିଜର
ମନକୁ ଆନନ୍ଦିତ ? |୩|
ସ୍ଵାର୍ଥରେ ଜଡିତ ଥିଲେ କଣ
ଲଭିବ ସୁଖ ଓ ଶାନ୍ତି
ସେ ତ ଆଶା ବୈତରଣୀ ପରି
ତୃଷା ନାଶି ନପାରନ୍ତି |୪|
ସୁଖ ଶାନ୍ତି କ୍ଷଣସ୍ଥାୟୀ, ସମୟ
ଯାଏ ଆଗରେ ଆଗରେ
ତୃଷାରେ ସମୟ ପଛେ ଧାଇଁଲେ
ତାକୁ ଛୁଇଁ କି ପାରିବୁରେ |୫|
ଛୁଇଁ ପାରିବୁନି ମରିଯିବା ସିନା
ହେବ ଶେଷ ପରିଣତି
ଅକସ୍ମାତ୍ ପାଉଁଶ ହୋଇ ପୃଥିବୀ
ମାଟିରେ ହୋଇବୁ ମାଟି |୬|
କିଏ ଜାଣେ କେତେବେଳେ କିଏ
କଅଣ ହୋଇବ, ଘଟିବ
ଏହାତ ନିୟତିର ଖେଳ, ମାଟିର
ମଣିଷ, ମାଟିରେ ମିଶିବ |୭|
ଅଦିନିଆ ଝଡପରି ଝପଟି ଆସିବ,
ସମୟ ତ ସରିଯିବ
ଅଭିନୟ ଯାର ମର୍ତ୍ତ୍ୟରେ ସରିଯିବ
ସପନକୁ ଧରିଥିବ |୮|
ତେବେ କାହିଁକି ହବା କାମନା ଜ୍ୱାଳାରେ
ବ୍ୟସ୍ତ, ବିବ୍ରତ ,ଓ ବିଚଳିତ
ଲଲାଟ ଲିଖନ କେ କରିବ ଆନ, ଖାଲି
ସବୁ ଆଶ୍ବାସନାର ବାଲିବନ୍ଧ |୯|
ମାନବର କାମନା ବାସନା କେବେତ
ସରେନା ଦୁଃଖରେ ଭରନା ମନ
ବିବେକାନୁଯାୟୀ ଚାଲିଲେ, ଜୀବନକୁ
ଗଢି ସ୍ଥିର ଓ ତୋଷ ହେବ ମନ |୧୦|
କାମନାରୁ ଜାତ ଦୁଃଖ, କାମନା ବାସନା
ହୋଇଲେ ଦୂର ମନ ରହେ ନିର୍ବିକାର
ସୃଷ୍ଟିର ଅନାବିଳ ମଧୁର ସଂପର୍କକୁ ଗର୍ବ,
ଅହଂକାରେ କିଆଁ କରିବା ଚୁରମାର |୧୧|