ମଣିଷ ଜୀବନର ସୂକ୍ଷ୍ମ ତତ୍ତ୍ୱ
ମଣିଷ ଜୀବନର ସୂକ୍ଷ୍ମ ତତ୍ତ୍ୱ
ଖୋଜିଲେ ମିଳେନି କେବେ ସ୍ନେହ
ସମ୍ପର୍କ ଓ ଆତ୍ମୀୟତା
ଜୋର ଜବରଦସ୍ତରେ ମଧ୍ୟ ଆସେ
ନାହିଁ କେବେ ଆତ୍ମୀୟତା |୧|
ଛୁଆ ଦିନୁ ଦୁଇ ଜଣ ବ୍ୟକ୍ତି ଅନ୍ତରଙ୍ଗ
ସାଥୀ ହୋଇ ଥିଲେ
ସମୟ ଚାପରେ ଦୁହେଁ ଶତ୍ରୁ ବନି ଯାଆନ୍ତି
ମନ ବଦଳି ଗଲେ |୨|
ଜୀବନ ତମାମ ଅନ୍ତରେ ତୁମକୁ ଘୃଣା କରୁ
ଥିବା ଲୋକଟିଏ
କୌଣସି ଅବସ୍ଥାରେ ମନ ମିଳି ଗଲେ ଖୁବ୍
ଆପଣାର ହୁଏ |୩|
କାଲି ଦେଖୁଥିଲ ତୁମ ପଛରେ ପଡିଥିଲା
ଯେଉଁ ଲୋକଟିଏ
ସେଇ ପଛରେ ଥିବା ଲୋକଟି ତୁମର
ଆଗକୁ ତ ଆସି ଯାଏ |୪|
ପଦବୀ ବଦଳି ଗଲେ ସଦା ଗରବ
ଆସେ ମନୁଷ୍ୟ ପ୍ରବୃତ୍ତିରେ
ସେଇ ପ୍ରବୃତ୍ତିରୁ ଦୂରେଇ ରହିପାରେ
ବ୍ୟକ୍ତି ନିଜ ସାଧନାରେ |୫|
ଲୋଭର ପ୍ରବୃତ୍ତି, ଅଛି, ରହିବ ପ୍ରତ୍ୟେକ
ମଣିଷ ପାଖରେ
ଲୋଭଠାରୁ ଯେ ରହେ ଦୂରେଇ ହୁଏନା
ବ୍ୟାକୁଳିତ ପ୍ରାଣରେ |୬|
ମଣିଷର ଲୋଭ ଗର୍ବ ଅହଙ୍କାର ପ୍ରତି
ସ୍ବତଃ ଏକ ଆକର୍ଷଣ
ତାଠାରୁ ଯେଉଁମାନେ ରହନ୍ତି ଦୂରେ,
କଟାଅନ୍ତି ସୁଖୀ ଜୀବନ |୭|
ଅନ୍ୟାୟ ଅଧର୍ମ ପଥେ କରି ଗତି ଉଚ୍ଚ
ଚଉକିରେ ବସିଥିଲେ
ବିଭେଦ ଓ ଘୃଣାର ଅନଳ ଜାଳୁ ଥାଆନ୍ତି
ସେ ତ ସଦାବେଳେ |୮|
ଅନୁଭବରୁ ପାଇବା ଆମେ ହୋଇଯାଏ
ଯେଉଁ ବ୍ୟକ୍ତି ସ୍ଵାର୍ଥପର
ବିଚାରପତି ପଦବୀରେ ବସି ମଧ୍ୟ, କରି
ପାରିବନି କେବେ ସୁବିଚାର |୯|
ବାଲ୍ୟରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ସମସ୍ୟା
ଆସିବ ଏହା ଧୃବ ନିଶ୍ଚିତ
ଏହା କରାଳ ସମୟର ଗତାନୁଗତିକ
ରୀତି, ଆମର ନାହିଁ ହାତ |୧୦|
ସମସ୍ୟାକୁ ଦେଖି ନଜଳିବା ଯଦି
କେହି ହତାଶାର ଜୁଇରେ
କଟାଇବା ଆମେ ଜୀବନ ଆମର
ନିଶ୍ଚିତ ଖୁସି ଓ ଆନନ୍ଦରେ |୧୧|
ଦୁନିଆରେ ଯିଏ କର୍ମ କର୍ତ୍ତବ୍ଯକୁ ଭୁଲି
ମାଗେ କେବଳ ଅଧିକାର
ଶାନ୍ତି ପାଏ କି ସିଏ ଅଧିକାର ହାସଲରେ
ହେଲେ ମଧ୍ୟ ଆତ୍ମହରା ସୁଖର |୧୨|
ଭୁଲ ବାଟେ ଯାଇ ପାପ ସବୁ କରିଥିବା
ମଣିଷ ରହି ପାରେନା ଶାନ୍ତିରେ
କେତେବେଳେ ତାହାର ଛାତି ଫାଟିଯାଏ
ନିଆଁ ଲାଗି ତା ଆତ୍ମାର ବଣରେ |୧୩|
ଲୋଭ ଓ ପରକୁ ବିପଦେ ପକାଇ ସ୍ୱାର୍ଥ
ହାସଲ ମଣିଷ ପ୍ରବୃତ୍ତିକୁ
ଦୂରେଇ ରହିପାରେ ଯିଏ ଜାଣିଛି ଜୀବନ
ର ଏହି ସୂକ୍ଷ୍ମ ତତ୍ତ୍ୟକୁ |୧୪|
