ମନକଥା ନ ରଖ ଗୋପନ
ମନକଥା ନ ରଖ ଗୋପନ
ବିତିଯାଏ ଏ ବୟସ ଦିନ ପରେ ମାସ ବର୍ଷ
ଅପାଶୋରା ତୁମେ ବର୍ଷା ରହିଥିବ ସଜଳ ସେମିତି
ପ୍ରତୀକ୍ଷା ଯେ ତୁମ ପାଇଁ ଅନ୍ତ କେବେ ହେବ ନାହିଁ
ସ୍ମୃତି ତୁମ ମନପ୍ରାଣେ ବାରବାର ଉଠୁଥିବ ଜାଗି ।
ଆପଣାର ଲାଗ ତୁମେ ଅନ୍ତରଙ୍ଗ ପ୍ରିୟ ଅତି
ସ୍ପର୍ଶେ ତୁମ ଭରିଯାଏ ସରସତା ଜୀବନେ ଆନନ୍ଦ,
କଅଁଳି ଉଠଇ ଦୁର୍ବା ଛନ୍ନ ଛନ୍ନ ହୁଏ ମନ
ଅନ୍ତର୍ମନେ ଇନ୍ଦ୍ରଚାପ ଭାବକଳ୍ପ ସୃଜେ ସପ୍ତରଙ୍ଗ ।
ହସଖୁସି ଉଲ୍ଲାସରେ କାଟିବାକୁ କିଛି ଦିନ
ଚାତକ ପରି ଆକାଶେ ବାଟ ଚାହିଁ ରହିଲେ ଅନାଇ,
କର ତୁମେ ମନମାନୀ ଛଟପଟ ଲାଗେ ଭାରି
ଗୁଳୁଗୁଳି ଗରମରେ ଦେହମୁଣ୍ଡ ହୁଏ ଝାଇଁଝାଇଁ ।
ଲାଗେ ବଡ ଅସହଜ ଶୁଷ୍କ ପ୍ରାଣ ଦହଗଞ୍ଜ
ଛନ୍ଦାୟିତ ପଦପାତେ ଉଚ୍ଚଟିବ ରିମଝିମ ସ୍ବନ ,
ପରଶି ଶୀତଳ ବାରି କେବେ ତୁମେ ବରଷିବ
କହିଦିଅ ଚୁପି ଚୁପି ମନ କଥା ନ ରଖ ଗୋପନ ।

