STORYMIRROR

Lata Behera

Abstract

3  

Lata Behera

Abstract

ମଙ୍ଗନ

ମଙ୍ଗନ

2 mins
113


ବିଧାତାଙ୍କ ଘଟ ସୂତ୍ର ଇଏ ପରା

ବିବାହ ବନ୍ଧନେ ଥାଏ

ବିବାହର ଆଗ ଦିନକୁ ମଙ୍ଗନ

ଶାସ୍ତ୍ରରେ ଯେ କୁହା ଯାଏ ।


ବିରି ରଗଡନ୍ତି ସାତ ଅହ୍ୟରାଣୀ

ଓଠେ ହସ ଖେଳୁଥାଏ

ବସି ସେ ଏକାଠି ହୁଳହୁଳି ଦ୍ୟନ୍ତି 

କୁଲେ ବଡି ପକା ଯାଏ ।


ବଡିର ମଝିରେ ଗୁଆକୁ ଥୁଅନ୍ତି

ମଙ୍ଗନ ବଡି ତ ଇଏ

ବଚନ ସ୍ଫୁରେନି ଠାରରେ ହଳଦୀ

 ସୁନ୍ଦୁରକୁ ଲଗା ଯାଏ ।


ବଡି ପ୍ରଭାତରୁ ଭଣ୍ଡାରୀ ଭାଇଟି

ମାଟିରେ ବେଦୀ ପକାଏ

ଘର ମୁଖ୍ୟ ଦ୍ବାରେ ଆମ୍ବ ତରଣୀଙ୍କୁ

ସିଏ ବାନ୍ଧି ଦେଇ ଥାଏ ।


କୁମ୍ଭାରର ଘରରୁ ମଙ୍ଗନ ସଜଟି 

ସେଇ ଦିନ ଅଣାଯାଏ

ସେ ମଙ୍ଗନ ସଜ ଶିକା ସାହାଯ୍ୟରେ

ଜାମୁଡାଳେ ଥୁଆ ହୁଏ ।


ସାତ ଦୀପ ସାଥେ ମାଟିର କଳସୀ

ବେଦୀ ପାଖେ ଥୁଆ ଯାଏ

ସଧବା ନାରୀଟି ଚାଉଳକୁ ବାଟି 

ଚିତା ସେ ପକେଇ ଥାଏ । 


ଗ୍ରାମଦେବତୀଙ୍କ ପାଖରେ ଯାଇଣ 

ପାଣି ତୋଳା ହୋଇଥାଏ

ଢୋଲ ବାଜୁଥାଏ ହୁଳ ହୁଳି ଶୁଭେ

କୁମ୍ଭେ ପାଣି ଆଣାଯାଏ । 


ନିଜ ଜାତି ଭାଇ କୁଟୁମ୍ବ ଘରରୁ 

ନା ସେ ଜଳ ଆଣା ହୁଏ

ଅନ୍ୟ ଘରୁ ପାଣି ଆଣି କାନ୍ଥେ ଚିତା

ଟୋପା ଚିହ୍ନ ଦିଆଯାଏ ।


ସେଇ ଜଳେ ପୁଅ ଝିଅକୁ ଗାଧାନ୍ତି

ବାଡୁଅ ପାଣି ସେ ହୁଏ

ପାହାନ୍ତା ପହରେ ବାଡୁଆ ପାଣିରେ 

ତାଙ୍କୁ ଗାଧା ଯାଇଥାଏ ।


ଭଣ୍ଡାରୀ ଭାଇଟି ନଖ ମୁଣ୍ଡି ଦେଇ

ଅଳତା ଲଗେଇ ଦିଏ

ଆଞ୍ଜୁଳି ଚାଉଳ ସାଥେ ଗୁଆ ଦେଇ

ହାତ ଧରି ନିଆ ଯାଏ ।


ଶିଳର ଉପରେ ବସାଇ ତାହାଙ୍କୁ 

ମୁଣ୍ଡେ ପାନ ଥୁଆ ହୁଏ

ପାନ ଗୁଆ ଦେଇ ଶିଳପୁଆରେ ଯେ

ସାତ ଥର ଛୁଆଁ ଯାଏ ।


ଦୁଇ କହୁଣୀରେ ଦୁଇ ଆଣ୍ଠୁରେ ବି

ପାନ ପତ୍ର ଥୁଆ ହୁଏ

ସାତ ଅହ୍ୟରାଣୀ ଛୁଇଁ କୁଟୁଥାନ୍ତି

ହୁଳହୁଳି ପଡୁଥାଏ ।


ଗାଧୋଇ ଦେଇଣ ହଳଦିଆ ବସ୍ତ୍ର

 ପିନ୍ଧିବାକୁ ଦିଆ ଯାଏ

ବଉଳପାଟଟି କହନ୍ତି ତାହାକୁ

ମାମୁଁ ଘରୁ ଆସି ଥାଏ ।


ଭାଉଜଟି ତାର ନୂଆବୋହୂ ସାଜି

ମଙ୍ଗନ ହାଣ୍ତି ବସାଏ

ମଙ୍ଗନ ଜାଉଟି ରାନ୍ଧି ସାରି ସିଏ

ହାତରେ ଖୁଆଇ ଦିଏ ।


ମଙ୍ଗନ ହାଣ୍ତିରେ ଚାଉଳ ଉପରେ 

ମୁଗ ଜାଇ ରଖାଯାଏ

ଆରିସା ପିଠାକୁ ତା ଉପରେ ଥୋଇ

ଘୋଡଣୀକୁ ଦିଆ ଯାଏ ।


ବଡ ଭାଉଜଟି ସବୁ କରି ଥାଏ

ପରମ୍ପରା ବିଧି ଇଏ

ମଙ୍ଗନ ସରିଲେ ବାହାଘର ହୁଏ

ରୋଷଣୀରେ ବର ଯାଏ ।


ବଡୁଅ ପଣିରେ ଗାଧୋଇ କନ୍ୟାଟି

ମଙ୍ଗୁଳୁତି ଖାଇ ଥାଏ

ମଙ୍ଗୁଳା କନ୍ୟାରୁ ବିବାହ ପରେ

କୁଳବଧୂ ଆଖ୍ୟା ପାଏ । 


ମଙ୍ଗନ ବିବାହ କଥା ଶୁଣି ଦେଲେ 

କେତେ ଖୁସି ଲାଗୁ ଥାଏ

ଅପ ସଂସ୍କୃତିରେ ବୁଡି ଯାଇ ଆଜି

ସ୍ବପ୍ନ ସେ ପାଲଟି ଯାଏ ।


ଅତୀତ ମଙ୍ଗନ କେତେ ମଜା ଥିଲା

ଧିରେ ଲୋପ ହୁଏ ସିଏ

କୋର୍ଟ ପେପରେ କାମ ଚଳି ଯାଏ

ମଙ୍ଗନ ପଚାରେ କିଏ ?


ଶୁଭ ଲଙ୍ଗନରେ ମଙ୍ଗନ ଆସିଲେ

ସୁଖ ଶାନ୍ତି ଝରି ଯାଏ

ପଳେଇ ଯିବାରେ ଶୁଭ ମଙ୍ଗନର

ଆଶିଷ ନା ମିଳିଥାଏ l




Rate this content
Log in

Similar oriya poem from Abstract