ମଙ୍ଗନ
ମଙ୍ଗନ
ବିଧାତାଙ୍କ ଘଟ ସୂତ୍ର ଇଏ ପରା
ବିବାହ ବନ୍ଧନେ ଥାଏ
ବିବାହର ଆଗ ଦିନକୁ ମଙ୍ଗନ
ଶାସ୍ତ୍ରରେ ଯେ କୁହା ଯାଏ ।
ବିରି ରଗଡନ୍ତି ସାତ ଅହ୍ୟରାଣୀ
ଓଠେ ହସ ଖେଳୁଥାଏ
ବସି ସେ ଏକାଠି ହୁଳହୁଳି ଦ୍ୟନ୍ତି
କୁଲେ ବଡି ପକା ଯାଏ ।
ବଡିର ମଝିରେ ଗୁଆକୁ ଥୁଅନ୍ତି
ମଙ୍ଗନ ବଡି ତ ଇଏ
ବଚନ ସ୍ଫୁରେନି ଠାରରେ ହଳଦୀ
ସୁନ୍ଦୁରକୁ ଲଗା ଯାଏ ।
ବଡି ପ୍ରଭାତରୁ ଭଣ୍ଡାରୀ ଭାଇଟି
ମାଟିରେ ବେଦୀ ପକାଏ
ଘର ମୁଖ୍ୟ ଦ୍ବାରେ ଆମ୍ବ ତରଣୀଙ୍କୁ
ସିଏ ବାନ୍ଧି ଦେଇ ଥାଏ ।
କୁମ୍ଭାରର ଘରରୁ ମଙ୍ଗନ ସଜଟି
ସେଇ ଦିନ ଅଣାଯାଏ
ସେ ମଙ୍ଗନ ସଜ ଶିକା ସାହାଯ୍ୟରେ
ଜାମୁଡାଳେ ଥୁଆ ହୁଏ ।
ସାତ ଦୀପ ସାଥେ ମାଟିର କଳସୀ
ବେଦୀ ପାଖେ ଥୁଆ ଯାଏ
ସଧବା ନାରୀଟି ଚାଉଳକୁ ବାଟି
ଚିତା ସେ ପକେଇ ଥାଏ ।
ଗ୍ରାମଦେବତୀଙ୍କ ପାଖରେ ଯାଇଣ
ପାଣି ତୋଳା ହୋଇଥାଏ
ଢୋଲ ବାଜୁଥାଏ ହୁଳ ହୁଳି ଶୁଭେ
କୁମ୍ଭେ ପାଣି ଆଣାଯାଏ ।
ନିଜ ଜାତି ଭାଇ କୁଟୁମ୍ବ ଘରରୁ
ନା ସେ ଜଳ ଆଣା ହୁଏ
ଅନ୍ୟ ଘରୁ ପାଣି ଆଣି କାନ୍ଥେ ଚିତା
ଟୋପା ଚିହ୍ନ ଦିଆଯାଏ ।
ସେଇ ଜଳେ ପୁଅ ଝିଅକୁ ଗାଧାନ୍ତି
ବାଡୁଅ ପାଣି ସେ ହୁଏ
ପାହାନ୍ତା ପହରେ ବାଡୁଆ ପାଣିରେ
ତାଙ୍କୁ ଗାଧା ଯାଇଥାଏ ।
ଭଣ୍ଡାରୀ ଭାଇଟି ନଖ ମୁଣ୍ଡି ଦେଇ
ଅଳତା ଲଗେଇ ଦିଏ
ଆଞ୍ଜୁଳି ଚାଉଳ ସାଥେ ଗୁଆ ଦେଇ
ହାତ ଧରି ନିଆ ଯାଏ ।
ଶିଳର ଉପରେ ବସାଇ ତାହାଙ୍କୁ
ମୁଣ୍ଡେ ପାନ ଥୁଆ ହୁଏ
ପାନ ଗୁଆ ଦେଇ ଶିଳପୁଆରେ ଯେ
ସାତ ଥର ଛୁଆଁ ଯାଏ ।
ଦୁଇ କହୁଣୀରେ ଦୁଇ ଆଣ୍ଠୁରେ ବି
ପାନ ପତ୍ର ଥୁଆ ହୁଏ
ସାତ ଅହ୍ୟରାଣୀ ଛୁଇଁ କୁଟୁଥାନ୍ତି
ହୁଳହୁଳି ପଡୁଥାଏ ।
ଗାଧୋଇ ଦେଇଣ ହଳଦିଆ ବସ୍ତ୍ର
ପିନ୍ଧିବାକୁ ଦିଆ ଯାଏ
ବଉଳପାଟଟି କହନ୍ତି ତାହାକୁ
ମାମୁଁ ଘରୁ ଆସି ଥାଏ ।
ଭାଉଜଟି ତାର ନୂଆବୋହୂ ସାଜି
ମଙ୍ଗନ ହାଣ୍ତି ବସାଏ
ମଙ୍ଗନ ଜାଉଟି ରାନ୍ଧି ସାରି ସିଏ
ହାତରେ ଖୁଆଇ ଦିଏ ।
ମଙ୍ଗନ ହାଣ୍ତିରେ ଚାଉଳ ଉପରେ
ମୁଗ ଜାଇ ରଖାଯାଏ
ଆରିସା ପିଠାକୁ ତା ଉପରେ ଥୋଇ
ଘୋଡଣୀକୁ ଦିଆ ଯାଏ ।
ବଡ ଭାଉଜଟି ସବୁ କରି ଥାଏ
ପରମ୍ପରା ବିଧି ଇଏ
ମଙ୍ଗନ ସରିଲେ ବାହାଘର ହୁଏ
ରୋଷଣୀରେ ବର ଯାଏ ।
ବଡୁଅ ପଣିରେ ଗାଧୋଇ କନ୍ୟାଟି
ମଙ୍ଗୁଳୁତି ଖାଇ ଥାଏ
ମଙ୍ଗୁଳା କନ୍ୟାରୁ ବିବାହ ପରେ
କୁଳବଧୂ ଆଖ୍ୟା ପାଏ ।
ମଙ୍ଗନ ବିବାହ କଥା ଶୁଣି ଦେଲେ
କେତେ ଖୁସି ଲାଗୁ ଥାଏ
ଅପ ସଂସ୍କୃତିରେ ବୁଡି ଯାଇ ଆଜି
ସ୍ବପ୍ନ ସେ ପାଲଟି ଯାଏ ।
ଅତୀତ ମଙ୍ଗନ କେତେ ମଜା ଥିଲା
ଧିରେ ଲୋପ ହୁଏ ସିଏ
କୋର୍ଟ ପେପରେ କାମ ଚଳି ଯାଏ
ମଙ୍ଗନ ପଚାରେ କିଏ ?
ଶୁଭ ଲଙ୍ଗନରେ ମଙ୍ଗନ ଆସିଲେ
ସୁଖ ଶାନ୍ତି ଝରି ଯାଏ
ପଳେଇ ଯିବାରେ ଶୁଭ ମଙ୍ଗନର
ଆଶିଷ ନା ମିଳିଥାଏ l
