ମନ
ମନ
ମନ ଯେବେ ଜଳୁଥାଏ
ଦୁନିଆର ଆଗୋଚରେ
ବିରହ ନିଆଁରେ
ଝରା ଶ୍ରାବଣର ବାରି
ତାକୁ ଲିଭାଇ ପାରେନା ।
ମନ ଯେବେ ଭିଜୁଥାଏ
ସଭିଙ୍କ ଗୋଚରେ
ପ୍ରେମର ବର୍ଷାରେ
ନିଦାଘର ରୌଦ୍ରତାପ
ତାକୁ ତତାଇ ପାରେନା ।
ମନ ଯେବେ ଦେଖୁଥାଏ
ସ୍ପଷ୍ଟ ଦିବାଲୋକରେ
ମଧୁର ମିଳନର ସ୍ବପ୍ନ
ନିଷ୍ଠୁର ଦୁନିଆର ବାସ୍ତବତା
ତାକୁ ଭାଙ୍ଗି ପାରେନ ।
ମନ ଯେବେ ମିଳେ ନାହିଁ
କାହା ମନ ସାଥିରେ
ସେ ଘରେ ଦୂରେ ଦୂରେ
ସର୍ବ ଅଲକ୍ଷ୍ୟରେ କେହି
ତାକୁ ଦେଖି ବି ପାରେନା ।
ମନ ଯେବେ ନେଉଥାଏ
ଉଷ୍ମ ଲୋତକରେ
ଆଗ୍ନେୟ ଶପଥ
ଗିରିରାଜ ହିମାଳୟ ବି
ତାକୁ ରୋକି ପାରେନା ।
ମନ ଯେବେ ନାଚୁଥାଏ
ହର୍ଷ ଉଲ୍ଲାସରେ
ଅନିତ୍ୟ ସଂସାରର
ଚିର ସତ୍ଯ ମୃତ୍ୟୁ
ତାକୁ ଡରାଇ ପାରେନା ।