STORYMIRROR

Aparti Charan Sethi

Romance

4  

Aparti Charan Sethi

Romance

ମନ ମୟୂରୀ‌ ମୋ

ମନ ମୟୂରୀ‌ ମୋ

1 min
395


ଆମ ଗାଁ ନ‌ଈର ନୀଳ ତରଙ୍ଗରେ

    ତୁମ ମୁହଁ ଦେଖାଯାଏ,

ତୁମ ଆଖି କିଛି କହେ ସେତେବେଳେ

    ମୋ ଆଖି ବୁଝୁଥାଏ।

ଏକଥାକୁ ଫାଙ୍କି ପାରିବନି ସଖୀ

   ପ୍ରେମ ଅଛି ମୋର ସାକ୍ଷୀ,

ଏବେ ବି ଝରକା ଫାଙ୍କରେ ଜହ୍ନଟା

    କିରିକିରି‌ ହସୁଅଛି।

ମନୋଇ‌ ପ୍ରିୟା ମୋ କେମିତି ବୁଝନା

   ମୋ ଭଲ ପାଇବା କେତେ,

ନୀଳରୁ ନୀଳିମା କବିରୁ କଳ୍ପନା

   ଦୂରତା‌ ରହିଛି ଯେତେ।

ନୀରବ ସଙ୍ଗୀତ ମିଳନର ଗାଥା

   ଆଜି ଯାହା‌ ଗାଉଅଛି,

ମୋ ମନ କାନନେ ପ୍ରୀତିର ଗୋଲାପ

    ଝୁମି ଝୁମି ଦୋହଲୁଛି‌।

ନିଶିଅର୍ଦ୍ଧେ ଯେବେ ସପନ ଭାଙ୍ଗୁଛି

    ତୁମ କଥା‌ ଭାବି ଭାବି‌,

ଓଠରୁ ତୁମର ହସ ଟିକେ ମାଗି

    ଅନିଚ୍ଛା ନିଦେ‌ ଶୋଇବି।

ବସନ୍ତ ଆସୁଛି ତଟିନୀ ନାଚୁଛି 

    କୁହୁକ ମଳୟ‌ ବହେ,

ସତ ଲୋ ସୁନ୍ଦରୀ ଅଜାଣତେ‌ କାହିଁ

   ଓଠ ମୋର ହସିଦିଏ‌।

ଅନେକ ସନ୍ଧ୍ୟାର ଗୋଧୂଳି ଲଗନେ

    ପକ୍ଷୀର କାକଳି ସୁରେ,

ଅଳସୀକନ୍ୟା ତୋ ସୁନାଝରା ଦେହେ

    ଅବେଳେ‌ ବି ଖରା ପଡେ।

ଛାତି ମୋ ସ୍ପନ୍ଦିତ ଅଧର କମ୍ପିତ 

    କୋମଳ ସ୍ପର୍ଶର ନିଶା,

ଲବଙ୍ଗ ଦ୍ଵୀପର ରାଜ କୁମାରୀ ତୁ

   ମୋ ହୃଦୟ ପରିଭାଷା।

ହୃଦ ଦରଜା ମୋ ଠେଲି ଆ' ପ୍ରିୟା

   ତୋ ବାଟ ରହିଛି ଚାହିଁ,

ହେଲେ ଆଉ କାହା ନାଁ ଉଠେଇଲେ

    ମୋ ଦେହ ସହିବ ନାହିଁ।

ଅମା ଅନ୍ଧାରୀର‌ ଶ୍ରାବଣୀ ପରିକା

    ଆଉ ଭିଜାଅନା‌ ମୋତେ,

ସ୍ମୃତି ତୁମ ପ୍ରିତୀ କଦମ୍ବ ସାଜିଛି

    ହାତ ବଢେଇବି କେତେ।

ମୋ ମନ ବନର ମୟୁରୀଟି ସାଜି

   କେତେ ତୁମେ ନାଚୁଥିଲ,

ଇନ୍ଦ୍ରଧନୁର ସେ ସପ୍ତରଙ୍ଗ ଦେଖି 

  ମୋତେ କିବା ଭୁଲିଗଲ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance