ମନ ହରା ତୁମ ମଧୁର କଥା
ମନ ହରା ତୁମ ମଧୁର କଥା
ଯେଉଁଠିକୁ ଯାଏ ତୁମ ସହ ପ୍ରୀତି
ହରିନିଏ ମୋର ଯେତେକ ବ୍ୟଥା
ଶୋଭାମୟୀ ତୁମେ ରୂପେ ଅନୁପମା
ମନ ହରା ତୁମ ମଧୁର କଥା ।
ମୋହି ନିଏ ମନ କୁଳୁକୁଳୁ ତାନ
ପର୍ବତ ଗହ୍ବରୁ ନିର୍ଝରିଣୀର
ପକ୍ଷୀର କାକଳି ପଶୁଙ୍କ ବୋବାଳି
ସିରିସିରି ବାଆ ଗଛ ପତ୍ରର ।
ସବୁଜିମାମୟ ଶସ୍ୟକ୍ଷେତର
ଦେଖି ପୁଲକିତ ହୁଏ ପରାଣ
ସାଗର ଲହରୀମାଳା କହିଦିଏ
କେଡ଼େ ସୁନ୍ଦର ତା’ ଗମ୍ଭୀର ସ୍ବନ !
ଭୂମିଷ୍ଠ ପରଠୁ ତୁମରି ବୁକୁର
ଧୂଳିମାଟିକୁ ମୁଁ ଚନ୍ଦନ ମଣି
ବାଳୁତ କାଳରୁ ହୋଇଛି ବିଭୋର
ସତେ କି ତୁମେ ମୋ ପରଶ ମଣି ।
ଖାଇଛି କେତେ ମୁଁ ଆମ୍ବ, ଜାମୁ, କୋଳି
ବୁଲି ତୋଟା, ବଣ ସାଥୀ ଗହଣେ
ସେତେବେଳେ ତୁମେ ଡାକି ହାତଠାରି
ସତେ କି କହୁଥା” ଆସ ରେ ଧନେ ।
ମୋ କୋଳର ପରା ଯେତେକ ଦରବ
ସାଇତି ରଖିଛି ତୁମରି ପାଇଁ
ଅନନ୍ତ କାଳରୁ ତୁମ ସହ ଭାବ
ଯୋଡ଼ି ଦେଇଛନ୍ତି ଜଗତ ସାଇଁ ।
ନହୋଇ କୃପଣ ପାଦପ ରୋପିଣ
ସୃଷ୍ଟି କରିଦିଅ ନୂଆ ଜଙ୍ଗଲ
ଦୁଃଖକୁ ଦୂରେଇ ସୁଖକୁ କୋଳେଇ
ଦେଖିବ ହସିବ ଜୀବନ କାଳ ।
ତୁମ ଅନ୍ତରକୁ ଛୁଇଁ ଯାଉଥିବ
ପ୍ରତିଧ୍ବନିତ ମୋ ମଧୁର ବାଣୀ
ଅନନ୍ତ ବୁକୁରେ ଝୁଲଇ ମୋ ପିଣ୍ଡ
ମୁହିଁ ପରା ତୁମ ମାତା ଧରଣୀ ।
