STORYMIRROR

Binodini Dash

Inspirational

4  

Binodini Dash

Inspirational

ମନ ହରା ତୁମ ମଧୁର କଥା

ମନ ହରା ତୁମ ମଧୁର କଥା

1 min
15


ଯେଉଁଠିକୁ ଯାଏ ତୁମ ସହ ପ୍ରୀତି

ହରିନିଏ ମୋର ଯେତେକ ବ୍ୟଥା

ଶୋଭାମୟୀ ତୁମେ ରୂପେ ଅନୁପମା 

ମନ ହରା ତୁମ ମଧୁର କଥା ।


ମୋହି ନିଏ ମନ କୁଳୁକୁଳୁ ତାନ 

ପର୍ବତ ଗହ୍ବରୁ ନିର୍ଝରିଣୀର

ପକ୍ଷୀର କାକଳି ପଶୁଙ୍କ ବୋବାଳି

ସିରିସିରି ବାଆ ଗଛ ପତ୍ରର ।


ସବୁଜିମାମୟ ଶସ୍ୟକ୍ଷେତର

ଦେଖି ପୁଲକିତ ହୁଏ ପରାଣ

ସାଗର ଲହରୀମାଳା କହିଦିଏ

କେଡ଼େ ସୁନ୍ଦର ତା’ ଗମ୍ଭୀର ସ୍ବନ !


ଭୂମିଷ୍ଠ ପରଠୁ ତୁମରି ବୁକୁର

ଧୂଳିମାଟିକୁ ମୁଁ ଚନ୍ଦନ ମଣି

ବାଳୁତ କାଳରୁ ହୋଇଛି ବିଭୋର

ସତେ କି ତୁମେ ମୋ ପରଶ ମଣି ।


ଖାଇଛି କେତେ ମୁଁ ଆମ୍ବ, ଜାମୁ, କୋଳି

ବୁଲି ତୋଟା, ବଣ ସାଥୀ ଗହଣେ

ସେତେବେଳେ ତୁମେ ଡାକି ହାତଠାରି

ସତେ କି କହୁଥା” ଆସ ରେ ଧନେ ।


ମୋ କୋଳର ପରା ଯେତେକ ଦରବ

ସାଇତି ରଖିଛି ତୁମରି ପାଇଁ

ଅନନ୍ତ କାଳରୁ ତୁମ ସହ ଭାବ

ଯୋଡ଼ି ଦେଇଛନ୍ତି ଜଗତ ସାଇଁ ।


ନହୋଇ କୃପଣ ପାଦପ ରୋପିଣ

ସୃଷ୍ଟି କରିଦିଅ ନୂଆ ଜଙ୍ଗଲ

ଦୁଃଖକୁ ଦୂରେଇ ସୁଖକୁ କୋଳେଇ

ଦେଖିବ ହସିବ ଜୀବନ କାଳ ।


ତୁମ ଅନ୍ତରକୁ ଛୁଇଁ ଯାଉଥିବ

ପ୍ରତିଧ୍ବନିତ ମୋ ମଧୁର ବାଣୀ

ଅନନ୍ତ ବୁକୁରେ ଝୁଲଇ ମୋ ପିଣ୍ଡ

ମୁହିଁ ପରା ତୁମ ମାତା ଧରଣୀ ।



Rate this content
Log in

Similar oriya poem from Inspirational