ମନ ଏକ ଉପବନ
ମନ ଏକ ଉପବନ
ପାଇଛି ଗୋଟିଏ ସୁନ୍ଦର ଉଦ୍ୟାନ ହୃଦୟ ତାହାର ନାମ,
ନାନାଜାତି ଫୁଲ ଫୁଟିଲେ ସେଇଠି କିଣିନେବି କୋଟି ମନ |
ଦୟା କ୍ଷମା ଆଉ ବିଶ୍ୱାସ ତିତିକ୍ଷା ମମତା ସହିତ ଭକ୍ତି,
ସହନଶୀଳତା ସ୍ନେହ ଶ୍ରଦ୍ଧା ଫୁଲ ଫୁଟୁଥିବ ନିତିନିତି |
ଧୈର୍ଯ୍ୟ ସାର ଖତ ଦେଉଥିବି ପୁଣି ବୁଝି ଫୁଲଗଛ ମନ,
ସାହସର ରଞ୍ଜା ପୋତିବି ମୂଳରେ ଗଛ ରହିଥିବ ଟାଣ |
ପ୍ରେମଜଳ ଢାଳି ବଢାଇବି ଗଛ ସବୁଜ ସୁନ୍ଦର ହେବ,
ମୋର ପରିବେଶ ମହକି ଉଠିବ ବାସରେ ଚହଟି ଯିବ |
କ୍ରୋଧ ଲୋଭ ମୋହ ପରଶ୍ରୀକାତର ଅନାବନା କଣ୍ଟାଗଛ,
ଉପାଡ଼ି ଫିଙ୍ଗିବି ପୋଡ଼ି ଜାଳିଦେବି ନ ବିଚାରି ଆଗପଛ |
ଅହଂକାର ଗର୍ବ ବିଛୁଆତି ଗଛ ଉଠିବାକୁ ଦେବିନାହିଁ,
ଶାନ୍ତିର ଚନ୍ଦନ ଗଛ ବଢାଇବି ଶୀତଳ ଲେପିବା ପାଇଁ |
