କବିତା - ମନ ଚକ୍ରବାଳେ
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୩-୨୦୨୫
ଵଇଶାଖ ଝାଞ୍ଜି ପବନ ବୁଝେନା
ଗମ୍ ଗମ୍ ଝାଳ ମାଖେ ଶରୀର
ଟାଇଁ ଟାଇଁ ଖରା ଅଂଶୁଘାତ ଆଣେ
ଘରେ ବାହାରେ ସଂଶୟ ଘୋର
ମଉସୁମୀ ରାଣୀ ଝିପିଝିପି ଝରେ
ପ୍ରାନ୍ତରେ କେଦାରେ ସବୁଜ ଆଭା
ବିରହ ଜ୍ୱାଳାରେ ଛଟପଟ କାନ୍ତା
ସ୍ମୃତି ସିନ୍ଦୁକରେ ଲୋତକ ବିଭା
ଶୀତୁଆ ସଞ୍ଜଟା ଭାରି ଅମାନିଆ
ନିରୋଳାରେ ଜମା ଦିଏନା ବସେଇ
ବିଦେଶେ ମାଲିକ ଧାନ ପାଚିଲାଣି
ଢ଼ଳ ଢ଼ଳ ନୀଳାମ୍ବୁ ଜଳେ ଦିଶଇ
ଫଗୁଣ ଆସିଛି ପଳାଶ ରଙ୍ଗରେ
ଆମ୍ବ କୁଞ୍ଜରେ ରଙ୍ଗ ଉତ୍ସବ
ବାସନ୍ତୀ ବେଳାରେ ନିରୋଳା ଶେଜରେ
ପ୍ରଜ୍ବଳିତ ହୁଏ କାମନା ଭାବ
ଜୀବନ ମଧ୍ୟାହ୍ନେ ନୀରବତା କମ୍ପନେ
କେତେ ଋତୁ ଗଲେ କହୁଛ କିଆଁ
ତଥାପି ହୃଦୟ ତୁମ ବାହୁକୁ ସଦୟ
ଭୂଲି ପାରୁନାହିଁ ପ୍ରଥମ ପ୍ରେମଛୁଆଁ
କଳ୍ପନାରେ ତୁମେ ନିଦାଘରେ ତୁମେ
ଶୀତ ରାତିର କମ୍ପନ କେନ୍ଦ୍ର
ଋତୁରାଜ ପୁରେ ଗଜପତି ତୁମେ
ଶ୍ରାବଣ ଫଗୁଣ ପ୍ରଣୟ ଚନ୍ଦ୍ର
ମନ ଚକ୍ରବାଳେ ବିଧୂର ଚକୋରୀ
ଝୁରୁଛି ମରୁଛି ଜଞ୍ଜାଳ ଭବେ
ଶେଷ ରକ୍ତବିନ୍ଦୁ ଧମନୀ ଧାରଣେ
ମନ ସିଂହାସନେ ତୁମେ ହିଁ ନଭେ