ମନ ବୃନ୍ଦାବନ
ମନ ବୃନ୍ଦାବନ
ମଣିଷ ତାହାର ମନ ମଧ୍ୟରେ
ଭାବୁ ଥାଏ ଯାହା
କିଛି ତାର କର୍ମରେ ରୂପାନ୍ତରିତ
ହୁଏ ତାହା |୧|
ମନରେ ଆସିଲା କଅଣ ଏହି
ମନ ବୃନ୍ଦାବନ
ତରଙ୍ଗ ପରି ସୃଷ୍ଟ ଅଗଣିତ ବିଚାର
ହୁଏ ଲୀନ |୨|
ଦୁନିଆର ସବୁଠୁ ଶ୍ରେଷ୍ଠ ସୃଷ୍ଟି ହୁଏ
ମନ ପାଇଁ
ସବୁ ମୂଲ୍ୟହୀନ, ମନ ନାହିଁ ତ କିଛି
ବି ନାହିଁ |୩|
ମନ ତ ବିଶାଳ ଓ ସୁଗଭୀର ସମୁଦ୍ର
ସଦୃଶ
ମନର ମୂଳେ ଏ ଜଗତ, ନଥିଲେ
ସବୁ ଶେଷ |୪|
ମୋହଗ୍ରସ୍ତ ହେବାରୁ ବିଷାଦଗ୍ରସ୍ତ
ମନ ଅର୍ଜୁନଙ୍କର
ମାର୍ଗ ଦର୍ଶାଇବାକୁ ପଡିଲା ପରା
ଶ୍ରୀ ଭଗବାନଙ୍କର |୫|
ଶ୍ରୀମଦ୍ଭଗବଦ୍ ଗୀତା ହିଁ ବିଷାଦ
ଦୂର କରିବାକୁ
ଶ୍ରେଷ୍ଠ ମାର୍ଗଦର୍ଶକ, ଯାହା କହିଲେ
ଶ୍ରୀକୃଷ୍ନ ଅର୍ଜୁନଙ୍କୁ |୬|
ସଂସାରେ ବିଭିନ୍ନ ପଥରେ ଧାଏଁ ଏ
ସମୟ ସ୍ରୋତ,
ହେ ଅର୍ଜୁନ ତା' ମଧ୍ୟେ ବାହୁଛୁ ତୋର
ଜୀବନ ପୋତ |୭|
ସରବ ପରି ତୁମେ ନାଉରିଆ ଏହି
ପୋତରେ ବସି,
ଧରମ ବଳରେ ମନେ କେତେ କଥା
ଯାଉଛି ଭାସି |୮|
ସ୍ନେହ, ପ୍ରେମ, ଚରିତ୍ରବତ୍ତା ଏ ସବୁ
ତୁମର ଆଭୂଷଣ
ବୁଦ୍ଧି ,ବିବେକ ଯୁକ୍ତେ ଅଗ୍ରସର ହୋଇ
ଚଲାଅ ଜୀବନ |୯|
ମୋହଗ୍ରସ୍ତ ଚିନ୍ତାକୁ ତ୍ୟାଗ କରି ଧର୍ମ
ଦୁନିଆଁ ଦାଣ୍ଡେ,
ଖେଦି ଚାଲ ଧର୍ମ ବାଟେ ହାତେ ମାପି
ତୁହି ଚାଖଣ୍ଡେ |୧୦|
ଜୀବନେ ଆସିବ କେତେ ଜୁଆର ଓ
ତା' ପଛେ ଭଟ୍ଟା,
ମଝି ଦରିଆରେ ଛାଡି ଚାଲିଗଲେ
ହେବୁ ତୁ ହଟହଟା |୧୧|
ମୋହଭାବ ଉଲ୍ଲାସରେ ବନ୍ଧୁ ସୋଦର
ଯାହାକୁ କୁହେ
ଆସଛନ୍ତି, ଆଜି ଅଛନ୍ତି, ଓ କାଲି କେହି
ପାଶେ ନରହେ |୧୨|
କର୍ତ୍ତବ୍ଯ ସାଧନେ ଜ୍ଞାନ ବିବେକ ଖଟାଇ
ଲଙ୍ଘି ଯାଅ ଗିରି,
ଧର୍ମ ଏକା ନଭଶ୍ଚୁମ୍ବୀ କରମ, ଲାଗିଯାଅ
ମନ ସ୍ଥିର କରି ।୧୩ ।
ହିଂସା, ଦ୍ୱେଷ, ମୋହ ଓ ଅଭିମାନକୁ
ମନୁ ଦୂରେଇ ଦେଇ,
ଶାନ୍ତିର ଧ୍ଵଜା ଉଡ଼ାଅ ବିଶ୍ୱ ଦରବାରେ
ଧର୍ମପଥେ ରହି ।୧୪|
ମଣିଷର ମନ ସମୂଦ୍ର ପରି ବିଶାଳ
ଅଥଳ ଗଭୀର
ମନରେ ଆସଇ ଲହଡ଼ି, ତେଣୁ ଭିନ୍ନ
ଭିନ୍ନ ବିଚାର |୧୫|
ମନରେ ଆସୁଥିବା ବହୁ ବିଚାର ତ
ମିଳେଇ ଯାଏ
ବୁଦ୍ଧିର ପ୍ରୟୋଗେ କିଛି ବିଚାର ମନ
ରେ ରହିଯାଏ |୧୬|
ସ୍ୱତଃ କ୍ରିୟାଶୀଳ ହୋଇ, ମନ ରାଜାକୁ
ଭିକାରୀ କରେ
ଭିକାରୀକୁ ବି ରାଜା କରିଥାଏ ସମୟ
କରାଳ ଗର୍ଭରେ |୧୭|
ଶରୀରକୁ ଭିନ୍ନ ଭିନ୍ନ କର୍ମରେ ପ୍ରବୃତ୍ତ
କରାଏ ଏହି ମନ
ମନର ଗତିକୁ ବୁଝିବା ସର୍ବଦା ଅଟେ
ବଡ଼ ଦୁରୁହ ପ୍ରଶ୍ନ |୧୮|
ଅହଙ୍କାର ଈର୍ଷ୍ୟା ଲୋଭ ଦ୍ୱେଷ ଅସୁସ୍ଥ
ମନସ୍ଥିତିର କାରଣ
ସେ ମନସ୍ଥିତିକୁ ସଜାଡ଼େ ହିଁ ସ୍ୱୟଂ ସୁସ୍ଥ
ମନସ୍ଥିତି ଜାଣ |୧୯|
