ମନ ବିବେକ'ଠୁଁ ଦୂରେଇ ନ'ଯାଉ
ମନ ବିବେକ'ଠୁଁ ଦୂରେଇ ନ'ଯାଉ
"ଜନମ" ଓ "ମରଣ" ଏଇ ଦୁଇ କଥା ନିଶ୍ଚିତ
ଯାତ୍ରା ଶେଷ ହେଲେ ଯିବା ଦିନେ ଛାଡ଼ି ନିଶ୍ଚିତ
ସଂସାରେ ଆସିଛି ଦୁଃଖ ସୁଖ କର୍ମଫଳ ନେଇ,
ଭୁଞ୍ଜିବାକୁ ହେବ ଦୁଃଖ କଷ୍ଟ ପିଣ୍ଡ ରହିଛେ ବହି
ସମୟର ଚକ୍ର ଗତି କରେ ବହୁତ ଦ୍ରୁତ ଗତିରେ,
ଛାର ମଣିଷ, ଧନ ଶକ୍ତିର ଅହଂକାର କିଆଁରେ
ମନ ଅଟେ ଗତିଶୀଳ, ଭଲ ମନ୍ଦ ବୁଝେନି ସିଏ
ବିବେକାନୁସାରେ କାର୍ଯ୍ୟପନ୍ଥା ନେଲେ ଉତ୍ତମ ବ୍ୟକ୍ତି ହୁଏ
ଅସହାୟଙ୍କୁ ପରିହାସ ଚିନ୍ତା ଆସେ ଯଦି ମନରେ,
ହୃଦୟକୁ ପଚାରିବା ନିଜକୁ ରଖି ସେହି ସ୍ଥାନରେ
ମନେ ପଡେ ମୋର ଏବେ ସେଇ ସ୍କୁଲ ବେଳ
ନଥିଲା ସ୍ୱାର୍ଥର ଚିନ୍ତା, ଥିଲା ସାଙ୍ଗ ସାଥି ମେଳ
ସତରେ ପୁଂଜି ନିଶାରେ ସ୍ୱାର୍ଥପର ହୋଇଛୁ ଆଜି
ପ୍ରତ୍ୟେକ କର୍ମରେ ମନ ମଧ୍ୟେ ସ୍ୱାର୍ଥ ସାଥି ସାଜି
କଅଣ ପାଇବା ଭାବି ହେଉଛେ ସଂଗରେ ବନ୍ଧା
ସ୍ୱାର୍ଥ ଭାବନାରେ ଖାଲି ଉପରକୁ ହେଉଛେ ଛନ୍ଦା
ସ୍ୱାର୍ଥର ପୁଝାରୀ ଆମେ ହୋଇଛୁ ତ ସ୍ୱାର୍ଥପର
ସ୍ୱାର୍ଥ ସରିଗଲେ ଆମର ହେଉଅଛେ ଅନ୍ତର
ଅଭୁଲା ସ୍ମୃତି ତ ସେଇ ପିଲାଟି ଦିନର କଥା
କେତେ ଖୁସିଥିଲା, ଭାବି ଏବେ ଲାଗୁଛି ବ୍ୟଥା
ସେ ମହକକୁ ମନ ମଧ୍ୟରେ ସାଇତି ରଖିଅଛି
ସେ ସପନ କିଏ କଅଣ ଆଉ ଫେରି ପାଇଛି
ସମସ୍ତଙ୍କ ଜୀବନେ ଦୁଃଖେ ସୁଖେ ଯାଉ ଦିନ
ଆମେ କରୁଛେ ଯାତ୍ରା ଥିଲା ଯାଏ ପିଣ୍ଡେ ପ୍ରାଣ
ଦୁଃଖ ଅବା ସୁଖ ଯାହା ଥିଲେ ମୋ ମନ ସ୍ଥିର ଥାଉ,
କଦାଚିତେ ମୋ ମନ ବିବେକ'ଠୁଁ ଦୂରେଇ ନ'ଯାଉ ।
