ମନ ଭାଙ୍ଗିଯାଏ
ମନ ଭାଙ୍ଗିଯାଏ
ଉଚ୍ଚ ପରବାସେ ନିଶ୍ଚିନ୍ତ କି ତୁମେ
ମେଘ ତ ବରଷେ ନାହିଁ
ଝୁଙ୍କିଗଲା ଯିଏ ତା' ଦୁଃଖ ଦେଖିବ
କିପାଇଁ ତଳକୁ ଚାହିଁ ।
ଋତୁ ସାଥେ ମୋର ଖେଳ ସରେନାହିଁ
ଦିନ ଆଉ ରାତି ସରେ
ଇଚ୍ଛା ସବୁ ଭାଙ୍ଗି ବ୍ୟୋମମଣ୍ଡଳରୁ
ଖସେ ମୋ' ମସ୍ତକ ପରେ ।
ପ୍ରାଣ ବଞ୍ଚାଇବା ଆଶେ ପ୍ରାଣ ହାରେ
ଦିଶାନ୍ତର ରଣାଙ୍ଗନେ
ଋତୁର ପ୍ରକୋପ ସାଥେ ଯୁଝି କ୍ଳେଶ
ଅନୁଭବେ ପ୍ରତିକ୍ଷଣେ ।
ମେଘର ସେପାରି ବର୍ଷା ନାହିଁ ଯେବେ
ବୁଝିବ କି ଥରକରେ
ଲୁହ ଅବା ଲହୁ ଧାରେ ଭିଜି ଭିଜି
ମରୁଥାଏ ନରକରେ ।
ଫୁଲ ନଫୁଟିଲେ ଥୁଣ୍ଟା ଏକ ଗଛ
କାହାକୁ କହିବ ଶୋକ
ମରିଛନ୍ତି ଏଠି ମରିଯିବେ ପୁଣି
ମୋ' ଭଳି ଅନେକ ଲୋକ ।
ଫେରିଆସେ କେବେ ଯୁଦ୍ଧମୁଖୁ ହାରି
ତ୍ରସ୍ତ ବିକଳାଙ୍ଗ ପ୍ରାୟ
ଉପଚାର ବିନା ଯାତନାର ଏହି
ବସ୍ତିରେ ମୁଁ ଅସହାୟ ।
ଇଛା ସହ ଯେବେ ମନ ଭାଙ୍ଗିଯାଏ
ଦମ୍ଭ କି ରହନ୍ତା ଆଉ
ପଳାତକ ଭଳି ଶସ୍ତ୍ର ତ୍ୟାଗ କରି
କେମନ୍ତେ ସହନ୍ତି ଦାଉ !