ମମତାମୟୀ ମାଆ
ମମତାମୟୀ ମାଆ
ମାଆ ଡାକ ମୋର କେଡେ ସୁମଧୁର
ମାଆ ପରି କିଏ ହେବ
ମାଆର ପଣତ , ଶ୍ରୀମନ୍ଦିର ନେତ
ଦୁଃଖ କଷ୍ଟ ନିବାରିବ ।
ମମତାମୟୀ ସେ, କରୁଣାଭଣ୍ଡାର
ସ୍ନେହଶିଳା ବସୁନ୍ଧରୀ
ସର୍ବ ତୀର୍ଥ ତାର କୋଳରେ ରହିଛି
କିଏ ହେବ ମାଆ ପରି ।
ମା ଡାକ ମଧୁର ଅମୃତ ସମାନ
ଚାଲି ଯାଏ ଶୋଷ ଭୋକ
ମନରେ ଅପୂର୍ବ ଶକ୍ତି ଭରିଦିଏ
ହୃଦରେ ଜାଗେ ପୁଲକ ।
ଅସହ୍ୟ ଗର୍ଭର ଯନ୍ତ୍ରଣା ସହି ସେ
ପୃଥିବୀ କୁ ଦେଖାଇଲା
ଶିବ ଶିବା ପୁଜି, ଠାକୁରଙ୍କୁ ଡାକି
ଆମକୁ ମଣିଷ କଲା ।
ସୁଖାଦ୍ୟ ପଦାର୍ଥ ନିଜେ ନ ଖା ଣ
ପିଲା ମାନଙ୍କୁ ଦିଅଇ
ଜ୍ୱର ହେଲେ ରାତ୍ରି ଉଜାଗର ହୋଇ
ମୁଣ୍ଡ ଆଉଁସି କାନ୍ଦଇ ।
ମୁହଁ ଦେଖି ମନ କଥା ବୁଝିଦିଏ
କହଇ ମଧୁର କଥା
ଆଜି ଯାହା ଅଛି ଆମ ପରିଚୟ
ତା ଅବଦାନ ରେ ଗୁନ୍ଥା ।
ହାତଧରି ଚାଲି ଶିଖାଏ ଆମକୁ
ଦେହୁ ଝାଡ଼ିଦିଏ ଧୂଳି
ବିରକ୍ତ ହୂଏନା କେବେବି ରାଗେନା
ସହେ ଅଳି ଅରଦଳୀ ।
ପୂତ ପଯୋଧରୁ ଅମୃତ ଦେଇ ସେ
ବଞ୍ଚାଇଛି ଧରା ପୃଷ୍ଠେ
ତା ଚରଣ ଆମପାଇଁ ଅଟେ ସ୍ୱର୍ଗ
ଭୁଲିବାନି କେବେହେଲେ ।
ତା ପାଦର ଧୂଳି ସୁଗନ୍ଧ ଚନ୍ଦନ
ମହ ମହ ବାସୁଥାଏ
କଣ୍ଟା ଟିଏ ଫୁଟି ଗଲେ ଆମ ପାଦେ
ମାଆ ନାମ ଆସି ଯାଏ ।
ଅବହେଳା କେବେ କରିବାନି ତାକୁ
ତା ମନେ ଦେଵା ନି ଦୁଃଖ
ତାର ଆଶୀର୍ବାଦ, ତା ମୁହଁରେ ହସ
ଆମର ସରଗ ସୁଖ ।
ଗଙ୍ଗାଠୁ ପବିତ୍ର ହୃଦୟ ତାହାର
ଆକାଶ ଠାରୁ ନିର୍ମଳ
ସର୍ବସଂହା ମାଆ, ତ୍ୟାଗର ମୁରତି
ଜଗତେ ଅଟେ ବିରଳ ।
ସବୁବେଳେ ଠାକୁରଙ୍କୁ ଡାକୁଥାଏ
ଆମରି ମଙ୍ଗଳ ପାଇଁ
ମାଆ ପରି ଏହି ଦୁନିଆଁ ଭିତରେ
ଆଉ କେହି ହେବେ ନାହିଁ ।
ଜନ୍ମେ ଜନ୍ମେ ତୋର ପବିତ୍ର ଗର୍ଭରେ
ଦେଉଥା ଲୋ ମୋତେ ସ୍ଥାନ
ତୋ ଅଭାବେ ମନ କରଇ କ୍ରନ୍ଦନ
ରହିଗଲା ଶୂନ୍ୟ ସ୍ଥାନ ।